ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାରି କଲେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ହାଇ ଆଲର୍ଟ !

Spread the love

ବଙ୍ଗୋପସାଗରରେ ଆସନ୍ତା ସୃଷ୍ଟି ହୋଇଥିବା ଲଘୁଚାପ ଉପକୂଳ ଓଡ଼ିଶାରେ ଆସନ୍ତା ସପ୍ତାହରେ ପ୍ରବଳ ବର୍ଷା କରାଇବ । ଏହି ଲଘୁଚାପ ଘୂର୍ଣ୍ଣିଝଡ଼ରେ ପରିଣତ ହେଲେ ମେ ୨୬ ତାରିଖରେ ଏହା ଓଡିଶା-ପଶ୍ଚିମ ବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗର ଆକଳନ ଅନୁଯାୟୀ ଏହି ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ମେ ୨୫ ତାରିଖ ସୁଦ୍ଧା ଘୁର୍ଣ୍ଣିଝଡ଼ରେ ପରିଣତ ହେବ ବୋଲି ଅନୁମାନ କରାଯାଉଛି । ଏହା ମୁଖ୍ୟତଃ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଓଡିଶା ଉପକୂଳ ମୁହାଁ ହୋଇ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ଆଡକୁ ଗତି କରିବ ବୋଲି କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।

ଏହି ଘୁର୍ଣ୍ଣିଝଡ଼ ଓଡିଶାର ଭଦ୍ରକ କିମ୍ବା ବାଲେଶ୍ୱର ଜିଲ୍ଲା ଅଥବା ପଶ୍ଚିମବଙ୍ଗର ଦିଘା ଉପକୂଳ ଦେଇ ଗତି କରିପାରେ ବୋଲି ସେ କହିଛନ୍ତି । ଡକ୍ଟର ସାହୁ କହିଛନ୍ତି ଯେ ଜଳବାୟୁ ବିଜ୍ଞାନ ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀର ଆଗମନ ପୂର୍ବରୁ ବଙ୍ଗୋପ ସାଗରରେ ଘନୀଭୂତ ହେଉଥିବା ଅଧିକାଂଶ ଲଘୁଚାପ ଓ ତହିଁରୁ ଉତ୍ପନ୍ନ ଘୂର୍ଣ୍ଣିଝଡ଼ ପଶ୍ଚିମବଙ୍ଗ ଅଥବା ବାଂଲାଦେଶ ଆଡକୁ ଗତି କରିଥାଏ ।

ଏହି ଲଘୁଚାପ ହୁଏତ ପ୍ରବଳ ଘୁର୍ଣ୍ଣିଝଡ଼ କିମ୍ବା ଘୁର୍ଣ୍ଣିଝଡ଼ର ରୂପ ନେଇ ଉପକୂଳ ଅତିକ୍ରମ କରିପାରେ ବୋଲି ସେ କହିଛନ୍ତି । ତେବେ ବାତ୍ୟାର ଗତି ଏବଂ ପବନ ବେଗର ସ୍ପଷ୍ଟ ଚିତ୍ର ମେ ୨୪ରେ ହିଁ ଜଣାପଡିବ ବୋଲି ଡକ୍ଟର ସାହୁ କହିଛନ୍ତି ।

ସାମ୍ଭାବ୍ୟ ବାତ୍ୟାର ପୂର୍ବାନୁମାନ କରି ରାଜ୍ୟ ସରକାର ପୂର୍ବ ପ୍ରସ୍ତୁତି କରିଛନ୍ତି । ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକୁ ହାଇ ଆଲର୍ଟରେ ରଖିଛନ୍ତି ରାଜ୍ୟ ସରକାର । ବାତ୍ୟା ମୁକାବିଲା ପାଇଁ ସବୁ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ।

ବର୍ତ୍ତମାନ ସୁଦ୍ଧା ୩୯ ମତ୍ସଜୀବୀ ସମୁଦ୍ର ଭିତରେ ଅଛନ୍ତି । ସେମାନଙ୍କୁ ଆସନ୍ତିକାଲି ସୁଦ୍ଧା ଫେରାଇ ଆଣିବାକୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ।