ଆପଣ ବିଦ୍ୟୁତ ଚୋରି କରୁଛନ୍ତି କି ? ତେବେ ହୋଇଯାଅନ୍ତୁ ସାବଧାନ, କାହିଁକି ନା ଖୁବଶୀଘ୍ର ଆପଣଙ୍କ ଘରେ ଲାଗିବ ସ୍ମାର୍ଟ ମିଟର ।

Spread the love

ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବାକୁ ଭାରତ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିଦ୍ୟୁତ ଚୋରି ଦ୍ୱାରା ବିଦ୍ୟୁତ ବଣ୍ଟନ କମ୍ପାନୀ ଓ ସରକାରଙ୍କୁ ଅନେକ କ୍ଷତି ସହିବାକୁ ପଡ଼ୁଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ଭାରତ ସରକାର । ଆଉ ଏଥିପାଇଁ ସ୍ମାର୍ଟ ମିଟର ସଂସ୍ଥାଗୁଡ଼ିକ ସହ ଆଲୋଚନା ମଧ୍ୟ ସରିଛି । ତେବେ ସବୁଠାରୁ ବଡ କଥା ହେଉଛି ଆପଣ ପ୍ରଥମେ ବିଦ୍ୟୁତ ବିଲ୍ ପୈଠ କରିବେ ଓ ପରେ ବିଦ୍ୟୁତ ଜଳିବେ । କେବେଳ ସେତିକି ନୁହେଁ; ଦିନର ବିଭିନ୍ନ ସମୟରେ ବିଜୁଳି ବ୍ୟବହାର ପାଇଁ କମ୍ପାନୀ ଭିନ୍ନ ଭିନ୍ନ ଦେୟ ଆଦାୟ କରିବେ । ସବୁ ଘରକୁ ବିଜୁଳି ସଂଯୋଗ ପରେ ଏବେ ଏପରି କିଛି ସଂସ୍କାର ମୂଳକ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଆଗାମୀ ଦିନରେ ବିଦ୍ୟୁତ ବ୍ୟବସ୍ଥାରେ ଯେ, ଏକ ବଡଧରଣର ପରିବର୍ତ୍ତନ ହେବ ତାହା ଏବେଠୁ ଆଭାସ ମିଳୁଛି । ବିଦ୍ୟୁତ ଶୁଳ୍କ ଅନଦେୟ ରଖିବା ରୋଗ ଯେଉଁ ଭଳି ବ୍ୟାପୁଛି ଏବଂ ହୁକ୍ ପକାଇ ବିଜୁଳି ଚୋରି କରିବା ମଧ୍ୟ ବନ୍ଦ ହେଉ ନାହିଁ ।

କେବଳ ସେତିକି ନୁହେଁ ମିଟର ଟ୍ୟାମ୍ପେରିଂ ଓ ମାସିକ ବିଲ୍ କ୍ଷେତ୍ରରେ ମଧ୍ୟ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ଆଉ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ସରକାର ଏବେ ବଣ୍ଟନ କମ୍ପାନୀ ଗୁଡ଼ିକୁ ସ୍ମାର୍ଟ ପ୍ରିପେଡ ମିଟର ଲଗେଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହି ସ୍ମାର୍ଟ ମିଟର ବ୍ୟବହାର ଦ୍ୱାରା ଦିନର ବିଭିନ୍ନ ସମୟରେ ଗ୍ରାହକଙ୍କୁ ଭିନ୍ନ ଭିନ୍ନ ଶୁଳ୍କ ଦେବାକୁ ପଡ଼ିବ ଅର୍ଥାତ ସକାଳେ ୧ ୟୁନିଟ ବିଜୁଳି ବ୍ୟବହାର ପାଇଁ ଯେତିକ ଶୁଳ୍କ ଆଦାୟ କରାଯିବ ଖରାବେଳେ, ସନ୍ଧ୍ୟାବେଳେ ଏବଂ ରାତିରେ ତାହା ଅଲଗା ରହିବ । ଏତଦବ୍ୟତୀତ ପ୍ରିପେଡ ମୋବାଇଲ ଫୋନ ଭଳି ବିଜୁଳି ଜାଳିବା ପାଇଁ ଆଗୁଆ ପଇସା ଜମା କରିବାକୁ ପଡିବ । ଫଳରେ ବିଜୁଳି ବ୍ୟବହାର ପରେ ଗ୍ରାହକଙ୍କ ବିଲ୍ ଆଉ ବାକି ରହିବ ନାହିଁ । ଏଥି ସହିତ ବଣ୍ଟନ କମ୍ପାନୀଗୁଡ଼ିକ ମଧ୍ୟ ଆଗୁଆ ପଇସା ଆଦାୟ କରିବାକୁ ସକ୍ଷମ ହେବେ ।

ମୁଖ୍ୟତଃ ବିଦ୍ୟୁତ କମ୍ପାନୀ ଗୁଡିକର ଋଣ ବୋଝ ହ୍ରାସ କରିବା ଲାଗି ଉଦୟ ଯୋଜନାରେ ପ୍ରାଧାନ୍ୟ ଦିଆଯାଇଥିଲା । ତେବେ ବିଦ୍ୟୁତ ଚୋରିକୁ ରୋକିବା ପାଇଁ କୋଠର ନୀତି ଗ୍ରହଣ କରାଯିବ । ଅସାଧୁ ଲୋକମାନେ, ଯେଉଁମାନେ କି ହୁକ୍ ପକାଇ ବିଜୁଳି ଚୋରି ନ କରିପାରିବେ; ସେଥିପାଇଁ ବିଦ୍ୟୁତ ତାର ଗୁଡିକୁ ଖୁଣ୍ଟରେ ଟଣାଯିବା ବେଳେ ସେଗୁଡିକୁ କେବୁଲ ଭିତରେ ରଖାଯିବ । ବିଜୁଳି ଚୋରିକୁ ରୋକିବା ପାଇଁ ସରକାର ଅଧିକ ସ୍ୱତନ୍ତ୍ର ବିଜୁଳି ଥାନା ମଧ୍ୟ ଖୋଲିବେ । ନୂଆ ନୀତିରେ ଯଦି ଜାଣିଶୁଣି ଲୋଡ଼ ସେଟିଂ କରାଯାଏ ବା ବିଦ୍ୟୁତ କାଟ କରାଯାଏ ତା’ହେଲେ କମ୍ପାନୀଗୁଡିକ ଠାରୁ ଜୋରିମାନା ଆଦାୟ କରାଯିବ ।

ରାଜ୍ୟ ବିଦ୍ୟୁତ ନିୟାମକ ଏ ନେଇ ୬ ମାସ କିମ୍ବା ବର୍ଷେ କୋହଳ କରିପାରନ୍ତି । ସେହିପରି ଜୋରିମାନା ପରିମାଣ କେତେ ରହିବ ତାହା ମଧ୍ୟ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଗୁଡିକଦ୍ୱାରା ଧାର୍ଯ୍ୟ ହେବ । ୧୫ ପ୍ରତିଶତରୁ ଅଧିକ ବଣ୍ଟନ ଜନିତ କ୍ଷତିକୁ ବଣ୍ଟନ କମ୍ପାନୀ ଗୁଡିକ କୌଣସି ପରିସ୍ଥିତିରେ ଗ୍ରାହକଙ୍କ ଉପରେ ଲଦି ପାରିବେ ନାହିଁ ।