ଯୌନ ଶିକ୍ଷା ଜରୁରୀ ଅଟେ !

Spread the love

ଖବରକାଗଜରେ ‘ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ’ ଖବର ପଢ଼ି ସପ୍ତମ ଶ୍ରେଣୀରେ ପଢ଼ୁଥିବା ଝିଅଟେ ମା’କୁ ପଚାରିଲା ‘ଗର୍ଭବତୀ’ କ’ଣ ? ଏମିତି ପ୍ରଶ୍ନ ଶୁଣି ମା’ର ହୋସ ଉଡ଼ିଗଲା । ସିଏ ଛାନିଆ ହେଇ ପଡ଼ିଲା । ଫଁ ଫଁ ହେଇ ମା’ ଝିଅ ହାତରୁ ଝଟ କରି ପେପରଟା ଝାମ୍ପି ଆଣିଲା। ତାକୁ ଏଡ଼େଏଡ଼େ ଆଖିରେ ଅନାଇ କହିଲା ପେପର ପଢ଼ା ଛାଡ଼ିକି ପାଠ ପଢ଼ିବୁ ଯା’। ୟାଡୁସାଡୁ ଖବର ଉପରେ ତୋରି ଆଖି ଆଗେ ପଢୁଛି । ଯା’ ପାଠ ପଢ଼ିବୁ ଯା’। ପାଠସାଠ ନାହିଁ ବସିକି ପେପର ପଢିଲା । ଝିଅ ସେଇଠୁ ଉଠି ପଳାଇଲା ସିନା ତା’ ପ୍ରଶ୍ନର ଉତ୍ତର ପାଇଲାନି । ତା’ ମନ ସେଇ ପ୍ରଶ୍ନର ଉତ୍ତର ଖୋଜୁଥିଲା । ପୂରା ଖବରଟା କ’ଣ ସିଏ ବୁଝିବାକୁ ଚାହୁଁଥିଲା । ହେଲେ, ଜାଣି ପାରିଲାନି । ଉତ୍ତର ପାଇଲାନି ।

ମା’, ଯିଏ କି ଝିଅର ପ୍ରଥମ ବନ୍ଧୁ, ଶ୍ରେଷ୍ଠ ସାଥୀ, ପ୍ରେରଣାଦାୟୀ, ପଥ ପ୍ରଦର୍ଶିକା ସିଏ ତା’ ସାଙ୍ଗରେ ଦି’ ପଦ ମନଖୋଲା କଥା ହେଇ ପାରିଲାନି। ଝିଅର ଜିଜ୍ଞାସାକୁ ବୁଝି ପାରିଲାନି । ତା’ ମନର ସନ୍ଦେହ, ପ୍ରଶ୍ନର ଉତ୍ତର ଦେଇ ପାରିଲାନି। ଝିଅ ଆଗରେ ବି ମା’ ଲାଜ କଲା, ତାକୁ ସରମ ଲାଗିଲା। ‘ଗର୍ଭବତୀ’ ମାନେ କ’ଣ ତାହା ବୁଝାଇବାକୁ ସିଏ ସଙ୍କୋଚ ମନେ କଲା। ଯଦି ମା’ କହିବନି। କହିବ କିଏ ? ସାହା ହେବ କିଏ ? ତାକୁ ଠିକ ବାଟ ଦେଖାଇବ କିଏ ? ମା’ ସିନା କହିଲାନି ଝିଅ କିନ୍ତୁ ପ୍ରଶ୍ନର ଉତ୍ତର ସାଙ୍ଗମାନଙ୍କଠାରୁ ଖୋଜି ପାଇବାକୁ ଚେଷ୍ଟା କରିବ। ସାଙ୍ଗଠୁ ବୁଝିବ ଗର୍ଭବତୀ କ’ଣ, ବାହାଘର ନ ହେଇ କେହି ଜଣେ କେମିତି ମା’ ହେଇ ପାରିବ, ବାହାଘର ପରେ କ’ଣ ହୁଏ, ଝିଅଟିଏ କେମିତି ମା’ ହୁଏ, ପ୍ରେମ କ’ଣ। ହେଲେ, ଯାହା ଜାଣିବ ତାହା ଅଧା, ଅସଂପୂର୍ଣ୍ଣ। ଅଳ୍ପ ଜ୍ଞାନ ଭୟଙ୍କର, ଏଣୁ ଅଳ୍ପ ଆଉ ଦରବୁଝା କଥା ତା’ ଜୀବନକୁ ନଷ୍ଟ କରିଦେବ। ସିଏ କୁସଙ୍ଗରେ ପଡ଼ିବ। ଭୁଲ-ଠିକର ବିଚାର କରି ପାରିବନି। କମାନ୍ଧ, ଯୌନ ପାଗଳମାନଙ୍କ ଜାଲରେ ସହଜରେ ଧରା ପଡ଼ିଯିବ।

-ଏକବିଂଶ ଶତାବ୍ଦୀରେ ଆମ ପରିବାର, ସମାଜରେ ଯୌନ ଶିକ୍ଷା ଏବେ ବି ଅଛୁଆଁ ବିଷୟ ହୋଇ ରହିଛି। ଯେଉଁଥିପାଇଁ ଏହି ଦେଶ ନାରୀ ଶୋଷଣ, ନିର୍ଯାତନାରେ ସବୁଠୁ ଉପରେ ରହିଛି। ୧୨/୧୩ ବର୍ଷର ଝିଅଟିଏ ମା’ ପାଲଟୁଛି । ସ୍କୁଲ, କଲେଜରେ ପଢ଼ୁଥିବା ଝିଅଟିଏ ଲୁଚିଲୁଚି ଗର୍ଭ ନଷ୍ଟ କରୁଛି। ବଡ଼ ସହରରେ ଏଭଳି ଘଟଣା ସାଧାରଣ ପାଲଟିଛି । ସ୍କୁଲରେ ପଢ଼ୁଥିବା ପୁଅଟିଏ ବି କୁନିଝିଅକୁ ବଳାତ୍କାର କରି ହତ୍ୟା କରି ଦେଉଛି। ଏପଟେ ଟିଭିରେ ସାନିଟାରୀ ପ୍ୟାଡ, କଣ୍ଡୋମ, ଗର୍ଭ ନିରୋଧକ ବଟିକାର ବିଜ୍ଞାପନ ଦେଖାଇଲେ ବାପାମା’ମାନେ ସଙ୍ଗେସଙ୍ଗେ ଅଲଗା ଚ୍ୟାନେଲ ବଦଳାଇ ଦିଅନ୍ତି। ଫିଲ୍ମରେ ହିରୋ-ହିରୋଇନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ, ଚୁମ୍ବନ ଦୃଶ୍ୟ ଦେଖାଇଲେ ମା’ ପିଲାଙ୍କ ପାଖରୁ ଉଠି ରୋଷେଇ ଘରକୁ ଦଉଡେ ଓ ବାପା ଫୋନରେ ଗପିବା ବାହାନାରେ ବାହାରକୁ ପଳାଏ। ଯୌନ ଶିକ୍ଷା, ଯୌନ ସଚେତନତା ଏବେ ବି ସମାଜରେ ପାପ ହେଇ ରହିଛି। ଯୁଆଡ଼େ ଦେଖ ଏବେ ସ୍କୁଲ ଛାତ୍ରୀ ଗର୍ଭବତୀ ହେଉଛନ୍ତି। ମା’ମାନେ ଯଦି ସେମାନଙ୍କୁ ଯୌନଶିକ୍ଷା ବିଷୟରେ ସାମାନ୍ୟତମ ଜ୍ଞାନ ବାଣ୍ଟିଥାନ୍ତେ ହୁଏତ ସେମାନଙ୍କର ଭବିଷ୍ୟତ ନଷ୍ଟ ହେବାରୁ ବର୍ତ୍ତି ଯାଇଥାନ୍ତା ।

– ଇଣ୍ଟରନେଟରେ porn ଦେଖିବାରେ ଆମ ଦେଶ ଆଗରେ । ଏଇ ଦେଶରେ ‘କାମସୂତ୍ର’ ଲେଖା ଯାଇଛି । ମନ୍ଦିରରେ ଯୌନ କଳାକୃତିର ସମାହାର । ପିଲା ଜନ୍ମ କରିବାରେ ଏଇ ଦେଶ ଆଗରେ । ତଥାପି ଯୌନ ଶିକ୍ଷା କଥା ଉଠିଲେ ବାପାମା’ମାନେ ନାକ ଟେକନ୍ତି। ଛାନିଆ ହେଇ ପଡ଼ନ୍ତି। ମୁହଁ ତଳକୁ କରି ଦିଅନ୍ତି। ଲାଜ, ସରମରେ ଲାଲ ହେଇ ଯାନ୍ତି। ସତେ ଯେମିତି ପିଲାଙ୍କୁ ଯୌନ ଶିକ୍ଷା ଦେବା ଏକ ଅପରାଧ। ଯେ, ପର୍ଯ୍ୟନ୍ତ ନିଜ ସହ କୌଣସି ଅପ୍ରୀତିକର ଘଟଣା ନ ଘଟିଛି ସେ ପର୍ଯ୍ୟନ୍ତ ଆମ ଆଖି ଖୋଲେନା। ଆଖି ଖୋଲିବା ବେଳକୁ ନେଡିଗୁଡ କହୁଣିକୁ ବୋହି ସାରିଥାଏ। ଅନ୍ୟର ଝିଅ ସହ ବଳାତ୍କାର ହେଉଛି, ଅନ୍ୟର ଝିଅ ଗର୍ଭବତୀ ହୋଇଛି। ଅନ୍ୟର ପୁଅ ତ ବଳାତ୍କାର କରି ଜେଲ ଯାଇଛି। ଏଥିରୁ ଆମର କ’ଣ ଗଲା ଭାବିକି ବାପାମା’ମାନେ ଚୁପ୍ ବସିଯାନ୍ତି।

– ୮/୧୦ ବର୍ଷ ଝିଅଙ୍କୁ ଖରାପ ଓ ଭଲ ସ୍ପର୍ଶର ଫରକ ବିଷୟରେ ବୁଝାଇବା ଦରକାର । ସମ୍ପର୍କୀୟ ଭାଇ, ଦାଦା, ମାମୁଁ, ମଉସା, ପିଉଷାମାନେ ସେମାନଙ୍କ ସହ କ’ଣ କଥା ହେଉଛନ୍ତି, କିଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ଉପରେ ନଜର ରଖିବା ଦରକାର। ୧୨/୧୩ବର୍ଷ ବୟସରୁ ହିଁ ମା’ମାନେ ଝିଅମାନକୁ ସେମାନଙ୍କ ଶରୀର ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇବା ଦରକାର। ଏହା ଲାଜ, ସରମର କଥା ନୁହେଁ, ଏହା ଶିକ୍ଷା। ଏହା ଶରୀର ବିଜ୍ଞାନ। ଏହା ତାର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଝିଅର ଜୀବନକୁ ସୁରକ୍ଷା ଦେବା ଆମର ଦାୟିତ୍ୱ। ଏଇ ବୟସରେ ହିଁ ଝିଅମାନେ ପ୍ରଶ୍ନ ପଚାରିବା ଆରମ୍ଭ କରି ଦିଅନ୍ତି। ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହୁଅନ୍ତି। ନିଜ ଶାରୀରିକ ଗଠନରେ ହେଉଥିବା ପରିବର୍ତ୍ତନକୁ ନେଇ ଉତ୍ସୁକ ହେଇପଡ଼ନ୍ତି। ସେମାନେ ଜାଣିବାକୁ ଚାହାନ୍ତି ଏଡସ ସଚେତନତା ବେଳେ କଣ୍ଡୋମ କଥା କାହିଁକି ଉଠେ। ଏହା କ’ଣ ? କାହିଁକି ସେମାନଙ୍କ ମାସିକ ଧର୍ମ ଆରମ୍ଭ ହୁଏ। ସ୍ୱାମୀ-ସ୍ତ୍ରୀ କାହିଁକି ଗୋଟିଏ କୋଠରୀରେ ରୁହନ୍ତି। ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜନ୍ତି ସେମାନେ। ନୂଆ ଦୁନିଆରେ ଘୁରି ବୁଲନ୍ତି। ନୂଆ ଉନ୍ମାଦନାରେ ମାତିଯାନ୍ତି। ଆକାଶରେ ଉଡ଼ି ବୁଲନ୍ତି। ସ୍ବପ୍ନ, କଳ୍ପନାର ପାହାଡ଼ ଉପରକୁ ଚଢ଼ି ଯାନ୍ତି। ସେମାନଙ୍କ ମନ ଏହି ସମୟରେ ବେଲଗାମ ଘୋଡ଼ା ପରି ଦଉଡ଼ିବାରେ ଲାଗିଥାଏ। ସିଉଳି ଉପରେ ଚାଲୁଥାନ୍ତି ସେମାନେ। ଏମିତି ସମ୍ବେଦନଶୀଳ ମୁହୂର୍ତ୍ତରେ ସାଙ୍ଗମାନଙ୍କ ସହାୟତା ନିଅନ୍ତି। ସହଜରେ କୁସଙ୍ଗରେ ପଡ଼ନ୍ତି। ଭୁଲ କଥା ଶିଖନ୍ତି। ଏଭଳି ସ୍ଥିତିରେ ବାପାମା’ମାନେ ହିଁ ପିଲାଙ୍କୁ ବୁଝାଇବା ଦରକାର। ସତର୍କ କରିବା ଦରକାର। ସେମାନଙ୍କ ଟଳମଳ ପାଦକୁ ସମ୍ଭାଳିବା ଦରକାର। ଯୌନ ସମ୍ପର୍କ କ’ଣ ତାହା ଖୋଲାଖୋଲି କହିବା ଦରକାର। ପାଠ ପଢ଼ା ବୟସରେ ଏହାର କୁପରିମାଣ ବିଷୟରେ ସ୍ପଷ୍ଟ କରିବା ଦରକାର। କ୍ୟାରିଅର ଗଢ଼ିବା ବେଳେ, ପାଠ ପଢ଼ିବା ବେଳେ, ସ୍ୱଳ୍ପ ବୟସରେ ଯୌନ ସମ୍ପର୍କର କୁପରିମାଣ ବିଷୟରେ ବୁଝାଇବା ଦରକାର। ଏହା ସେମାନଙ୍କ ଭବିଷ୍ୟତକୁ କେମିତି ପ୍ରଭାବିତ କରିବ ତାହା ଖୋଲି କହିଦେବା ଦରକାର। ସେମାନଙ୍କ ଗୋଟିଏ ଭୁଲ ନିଷ୍ପତ୍ତି କେମିତି ପୂରା ଜୀବନ ନଷ୍ଟ କରିଦେବ ତାହା ଜଣାଇବା ଦରକାର। ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଗଲେ ଭବିଷ୍ୟତ କେମିତି ବର୍ବାଦ ହେଇଯିବ ତାହା ସତର୍କ କରିଦେବା ଦରକାର ।

ମା’ଟିଏ ଝିଅର ମନ କଥା ଶୁଣିବା ଦରକାର। ତାର ପ୍ରତିଟି ଗତିବିଧି, ତା’ର ପ୍ରଶ୍ନ, ତା’ର ସାଙ୍ଗମାନଙ୍କ ଉପରେ ନଜର ରଖିବା ଦରକାର। ଝିଅଟିଏ ସଚେତନ ହେଲେ ହିଁ ସତର୍କ ରହିବ। ଏହା ମନେ ରଖିବାକୁ ହେବ ସତର୍କ ମାଛଟିଏ କେବେ ବି ବନିଶି କଣ୍ଟାରେ ଧରା ପଡ଼େନାହିଁ। ବାପାମାନେ ବି ପୁଅମାନଙ୍କୁ ସତର୍କ କରିବା ଦରକାର। ସେମାନଙ୍କ ସହ ସାଙ୍ଗଟିଏ ଭଳି ଆଲୋଚନା କରିବା ଦରକାର। କୋଉ ଝିଅକୁ ଫସାଇ ତାକୁ ଗର୍ଭବତୀ କରି ଛାଡ଼ିଦେବା, ବଳାତ୍କାର କରି ମାରିଦେବା ପୁରୁଷପଣିଆ ନୁହେଁ, ଏହା ନପୁଂସକତାର ଲକ୍ଷଣ ବୋଲି କହିଦେବା ଦରକାର ।

– ସ୍କୁଲ ଛାତ୍ରୀମାନେ ଗର୍ଭବତୀ ହେବା, ସ୍କୁଲ, କଲେଜରେ ପଢ଼ୁଥିବା ଛାତ୍ରଟିଏ ବଳାତ୍କାର କରିବା ନିହାତି ଚିନ୍ତାଜନକ ବିଷୟ। ଏଥିପାଇଁ କେବଳ ପିତାମାତାଙ୍କୁ ହିଁ ଦାୟୀ କରାଯାଇ ପାରେ ।

Written by – Amitabh Pattnaik