ରବୀନ୍ଦ୍ରନାଥ ଟାଗୋରଙ୍କ ଜୀବନ ପରିଚୟ ଆଉ ତାଙ୍କ ଜୀବନ ସହ ଯୋଡିହୋଇ ରହିଥିବା କିଛି ମହତ୍ତ୍ୱପୂର୍ଣ୍ଣ କଥା ।

Spread the love

“ଜନ-ଗଣ-ମନ”ର ରଚୟିତା ରବୀନ୍ଦ୍ରନାଥ ଟାଗୋରଙ୍କ ଜୀବନ କାହାଣୀ ।

ରବୀନ୍ଦ୍ରନାଥ ଟାଗୋରଙ୍କ ଜୀବନ କାହାଣୀ : ରବୀନ୍ଦ୍ରନାଥ ଟାଗୋର ଏକ ମହାନ ଋଷି, ନାଟକକାର ଏବଂ ପ୍ରାବନ୍ଧିକ ଥିଲେ ଏବଂ ନିଜ ଜୀବନରେ ସେ ଅନେକ ଗୁଡିଏ ରଚନା ଲେଖିଥିଲେ । ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ରଚିତ ଅନେକ ଗୁଡିଏ ରଚନା ଏବଂ କବିତା ଗୁଡିକ ଆଜି ମଧ୍ୟ ବିଶ୍ୱ ପ୍ରସିଦ୍ଧ ଅଛି । ଗୋଟିଏ ଧନୀକ ବଙ୍ଗାଳୀ ପରିବାରରେ ଜନ୍ମ ହୋଇଥିବା ରବୀନ୍ଦ୍ରନାଥ ଟାଗୋରଙ୍କୁ ଉପନ୍ୟାସ, କବିତା, ପ୍ରବନ୍ଧ ଆଦି ଲେଖିବାକୁ ଅଧିକ ଇଚ୍ଛା ଥିଲା ଏବଂ ବାଲ୍ୟକାଳରୁ ହିଁ ତାଙ୍କର ସାହିତ୍ୟ ପ୍ରତି ଅଧିକ ଦୁର୍ବଳତା ଥିଲା । ସେ ବହୁତ କମ୍ ବୟସରୁ କବିତା ଲେଖିବା ଆରମ୍ଭ କରି ଦେଇଥିଲେ । ଆସନ୍ତୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜୀବନୀ ବିଷୟରେ ଜାଣିବା ।

ରବୀନ୍ଦ୍ରନାଥ ଟାଗୋରଙ୍କ ଜୀବନର ପରିଚୟ :-

ନାମ – ରବୀନ୍ଦ୍ର ନାଥ ଟାଗୋର

ଜନ୍ମ ତାରିଖ – ୭ ମଇ ୧୮୬୧

ଜନ୍ମ ସ୍ଥାନ – କଲିକତା

ମୃତ୍ୟୁ – ୭ ଅଗଷ୍ଟ ୧୯୪୧, କଲିକତା, ବ୍ରିଟିସ ଭାରତ

ପିତାଙ୍କ ନାମ – ଦେବେନ୍ଦ୍ର ନାଥ ଟାଗୋର

ମାତାଙ୍କ ନାମ – ଶାରଦା ଦେବୀ

ପତ୍ନୀଙ୍କ ନାମ – ମୃଣାଳିନୀ (୧୮୮୩ – ୧୯୦୨)

ସନ୍ତାନମାନଙ୍କ ନାମ – ରେଣୁକା ଟାଗୋର, ଶମିନ୍ଦ୍ରନାଥ ଟାଗୋର, ମୀରା ଟାଗୋର, ରଥୀନ୍ଦ୍ରନାଥ ଟାଗୋର, ମାଧୁରୀଲତା ଟାଗୋର

ଶିକ୍ଷା – ଲଣ୍ଡନ ଆଇନଶାସ୍ତ୍ର ମହାବିଦ୍ୟାଳୟ ଏବଂ ସେଣ୍ଟ ଜାଭିୟର ବିଦ୍ୟାଳୟ

କର୍ଯ୍ୟକ୍ଷେତ୍ର – ଗାଳ୍ପିକ, ସଙ୍ଗୀତଜ୍ଞ, ନାଟ୍ୟକାର, ପ୍ରାବନ୍ଧିକ ଏବଂ ଚିତ୍ରକର

ପୁରସ୍କାର – ନୋବେଲ ପୁରସ୍କାର (୧୯୧୩)

ମୁଖ୍ୟ ଯୋଗଦାନ – ଭାରତ ଏବଂ ବାଂଲାଦେଶର ରାଷ୍ଟ୍ରୀୟ ସଙ୍ଗୀତର ରଚୟିତା ।

ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମ, ପରିବାର, ଶିକ୍ଷା :-

ଆମ ଦେଶର ଏହି ମହାନ ବ୍ୟକ୍ତିଙ୍କ ଜନ୍ମ କଲିକତାର ଯୋଡ଼ାସାଙ୍କୋ କୋଠାରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଦେବେନ୍ଦ୍ର ନାଥ ଟାଗୋର ଥିଲା ଏବଂ ମାତାଙ୍କ ନାମ ଶାରଦା ଦେବୀ ଥିଲା । ରବୀନ୍ଦ୍ରନାଥ ଟାଗୋରଙ୍କ ମୋଟ ୧୨ଜଣ ଭାଇ ଭଉଣୀ ଥିଲେ ଏବଂ ସେ ତାଙ୍କ ମାତା ପିତାଙ୍କ ୧୩ତମ ସନ୍ତାନ ଥିଲେ । ରବୀନ୍ଦ୍ରନାଥ ଟାଗୋରଙ୍କର ବାଲ୍ୟକାଳରେ ହିଁ ତାଙ୍କ ମାତାଙ୍କ ଦେହାନ୍ତ ହୋଇ ଯାଇଥିଲା ଏବଂ ତାଙ୍କ ପିତା ଏକୁଟିଆ ତାଙ୍କର ସମସ୍ତ ଭାଇ ଭଉଣୀଙ୍କ ଲାଳନ ପାଳନ କରିଥିଲେ ।

ରବୀନ୍ଦ୍ରନାଥ ଟାଗୋର ସେଣ୍ଟ ଜାଭିୟର ନାମକ ବିଦ୍ୟାଳୟରେ ନିଜର ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିଲେ । ରବୀନ୍ଦ୍ରନାଥ ଟାଗୋରଙ୍କ ପିତା ତାଙ୍କୁ ବାରିଷ୍ଟର ପାଠ ପଢ଼ାଇବା ପାଇଁ ଚାହୁଁଥିଲେ ଏବଂ ସେଥିପାଇଁ ସେ ରବୀନ୍ଦ୍ରନାଥଙ୍କୁ ୧୮୭୮ ମସିହାରେ ଲଣ୍ଡନ ଆଇନଶାସ୍ତ୍ର ମହାବିଦ୍ୟାଳୟରେ ଭର୍ତ୍ତି କରାଇଥିଲେ । କିଛି ସମୟ ପର୍ଯ୍ୟନ୍ତ ଲଣ୍ଡନରେ ପାଠ ପଢ଼ିବା ପରେ ରବୀନ୍ଦ୍ରନାଥ ଟାଗୋର ନିଜ ପଢ଼ାକୁ ମଝିରେ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଲେ ଏବଂ ସେ ବଙ୍ଗଳା ଫେରି ଆସିଲେ । ପ୍ରକୃତରେ ରବୀନ୍ଦ୍ରନାଥ ଟାଗୋରଙ୍କ ସାହିତ୍ୟ ଉପରେ ବହୁତ ରୁଚି ଥିଲା ଏବଂ ସେ ସାହିତ୍ୟର କ୍ଷେତ୍ରରେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିବାକୁ ଚାହୁଁଥିଲେ । ୧୮୮୦ ମସିହାରେ ବଙ୍ଗଳା ଆସି ଅନେକ ଗୁଡିକ କବିତା, କାହାଣୀ ଓ ଉପନ୍ୟାସ ପ୍ରକାଶିତ କରିଥିଲେ ଏବଂ ସେଗୁଡ଼ାକ ବଙ୍ଗଳାରେ ପ୍ରସିଦ୍ଧ ହୋଇଗଲା ।

୧୮୮୩ରେ ରବୀନ୍ଦ୍ରନାଥ ଟାଗୋର ମୃଣାଳିନୀ ଦେବୀଙ୍କ ସହ ବିବାହ କରିଥିଲେ । ଯେଉଁ ସମୟରେ ସେ ମୃଣାଳିନୀ ଦେବୀଙ୍କ ସହ ବିବାହ କରିଥିଲେ, ସେତେବେଳେ ମୃଣାଳିନୀ ଦେବୀଙ୍କୁ ମାତ୍ର ୧୦ବର୍ଷ ହୋଇଥିଲା । ଏହି ବିବାହରେ ତାଙ୍କର ୫ଟି ସନ୍ତାନ ହୋଇଥିଲେ, ସେଥିରୁ ଦୁଇଜଣ ସନ୍ତାନଙ୍କ ମୃତ୍ୟୁ ବାଲ୍ୟକାଳରେ ହିଁ ହୋଇ ଯାଇଥିଲା । ସେହିପରି ୧୯୦୨ ମସିହାରେ ମୃଣାଳିନୀ ଦେବୀଙ୍କର ମଧ୍ୟ ମୃତ୍ୟୁ ହୋଇ ଯାଇଥିଲା ।

ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ଵାରା ରଚିତ ମୁଖ୍ୟ ରଚନାବଳୀ :-

ରବୀନ୍ଦ୍ରନାଥ ଟାଗୋର ନିଜର ଜୀବନ କାଳରେ କେତେଗୁଡିଏ ପୁସ୍ତକ, ନାଟକ, ପ୍ରବନ୍ଧ, କ୍ଷୁଦ୍ର ଗଳ୍ପ, କବିତା ଲେଖିଥିଲେ । ନିଜର ପୁସ୍ତକ, ନାଟକ, କ୍ଷୁଦ୍ର ଗଳ୍ପ ମାଧ୍ୟମରେ ସେ ଭୁଲ ନୀତି ନିୟମର ନକରାତ୍ମକ ପ୍ରଭାବ ବିଷୟରେ ଲୋକଙ୍କୁ କହୁଥିଲେ । ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ଵାରା ଲେଖା ହୋଇଥିବା କ୍ଷୁଦ୍ର ଗଳ୍ପ ‘କାବୁଲିବାଲା’, ‘କ୍ଷୁଦିତା ପ୍ରଶ୍ନ’, ‘ଅଟୋତ୍ଜୁ’ ଏବଂ ‘ମୁସଲମାନୀର ଗଳ୍ପ’ ବହୁତ ପ୍ରସିଦ୍ଧ । ତାଙ୍କ ଦ୍ୱାରା ଲେଖା ହୋଇଥିବା ଉପନ୍ୟାସଗୁଡିକ ମଧ୍ୟରୁ ‘ନୌକାଡୁବି’, ‘ଗୋରା’, ‘ଚତୁରଙ୍ଗା’, ‘ଘାରେ ବାୟର’ ଏବଂ ‘ଯୋଗ ଯୋଗ’ ବିଶ୍ୱରେ ପ୍ରସିଦ୍ଧ ଅଟେ । କବିତା, ଉପନ୍ୟାସ, କ୍ଷୁଦ୍ର ଗଳ୍ପ ଲେଖିବା ବ୍ୟତୀତ ତାଙ୍କୁ ଗୀତ ଲେଖିବାରେ ଅଧିକ ରୁଚି ଥିଲା ଏବଂ ସେ ନିଜ ଜୀବନ କାଳରେ ମୋଟ ୨୨୩୦ଟି ଗୀତ ଲେଖିଥିଲେ ।

ଗୀତାଞ୍ଜଳି ପାଇଁ ନୋବେଲ ପୁରସ୍କାର ମିଳିଥିଲା :-

ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ଵାରା ଲେଖାଯାଇଥିବା ଗୀତାଞ୍ଜଳି ନାମକ କବିତା ପାଇଁ ତାଙ୍କୁ ୧୯୧୩ ମସିହାରେ ନୋବେଲ ପୁରସ୍କାର ମିଳିଥିଲା । ସେ ଭାରତ ବର୍ଷରେ ଏବଂ ଏସିଆରେ ପ୍ରଥମ ବ୍ୟକ୍ତି ଥିଲେ, ଯାହାଙ୍କୁ ନୋବେଲ ପୁରସ୍କାର ଦ୍ଵାରା ସମ୍ମାନିତ କରାଯାଇଥିଲା । ସେପରି ୧୯୧୫ ମସିହାରେ ଇଂରେଜମାନଙ୍କ ଦ୍ଵାରା ତାଙ୍କୁ ‘ସାର’ ଉପାଧି ମଧ୍ୟ ଦିଆ ଯାଇଥିଲା ।

ରବୀନ୍ଦ୍ରନାଥ ଟାଗୋରଙ୍କ ମୃତ୍ୟୁ :-

୭ ଅଗଷ୍ଟ ୧୯୪୧ରେ ରବୀନ୍ଦ୍ରନାଥ ଟାଗୋର କୋଲକାତାରେ ନିଜର ଶେଷ ନିଶ୍ୱାସ ନେଇଥିଲେ । ଯେଉଁ ସମୟରେ ତାଙ୍କ ମୃତ୍ୟୁ ଘଟିଥଲା, ତାଙ୍କୁ ୮୦ବର୍ଷ ହୋଇଥିଲା ଏବଂ ତାଙ୍କ ମୃତ୍ୟୁ ସହିତ ଆମ୍ଭେମାନେ ଏକ ମହାନ କବିଙ୍କୁ ମଧ୍ୟ ହରାଇ ବସିଥିଲେ ।

ରବୀନ୍ଦ୍ରନାଥ ଟାଗୋରଙ୍କ ସହ ଜଡ଼ିତ ଥିବା ଅନ୍ୟ କିଛି ତଥ୍ୟ :-

• ରବୀନ୍ଦ୍ରନାଥ ଟାଗୋର, ଜଲିଆନାୱାଲା ବାଗ ହତ୍ୟାକାଣ୍ଡ ପରେ ଇଂରେଜମାନଙ୍କ ଦ୍ଵାରା ମିଳିଥିବା ‘ସାର’ ଉପାଧିକୁ ତ୍ୟାଗ କରି ଦେଇଥିଲେ ଏବଂ ଏହି ହତ୍ୟାକାଣ୍ଡକୁ ବହୁତ ନିନ୍ଦା କରିଥିଲେ ।

• ରବୀନ୍ଦ୍ରନାଥ ଟାଗୋର ଭାରତର ରାଷ୍ଟ୍ରୀୟ ସଙ୍ଗୀତ ସହ ବାଂଲାଦେଶର ରାଷ୍ଟ୍ରୀୟ ସଙ୍ଗୀତ ରଚନା କରିଥିଲେ । ଭାରତର ରାଷ୍ଟ୍ରୀୟ ସଙ୍ଗୀତ “ଜନ-ଗନ-ମନ” ଏବଂ ବାଂଲାଦେଶର ରାଷ୍ଟ୍ରୀୟ ସଙ୍ଗୀତ “ଆମାର ସୋନାର” ଅଟେ ।

• ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ଵାରା ଲିଖିତ ଗୀତାଞ୍ଜଳୀ, ଗୀତାଳୀ, ଗୀତିମାଲ୍ୟ, ଶିଶୁ ଭୋଳାନାଥ, ଖେୟା ଆଦି ଇଂରାଜୀରେ ମଧ୍ୟ ଅନୁବାଦ କରାଯାଇଛି ।

• ରବୀନ୍ଦ୍ରନାଥ ଟାଗୋର, ଗାନ୍ଧୀଜୀଙ୍କୁ ପ୍ରଥମେ ‘ମହାତ୍ମା’ର ଆଖ୍ୟା ଦେଇଥିଲେ । ଯାହାପରେ ଗାନ୍ଧୀଜୀଙ୍କ ଆଗରେ ମହାତ୍ମା ଶବ୍ଦ ଲଗାଯାଇଥିଲା ।

• ରବୀନ୍ଦ୍ରନାଥ ଟାଗୋର ନିଜର ପ୍ରଥମ କବିତା ମାତ୍ର ୮ବର୍ଷ ବୟସରେ ଲେଖିଥିଲେ ।

• ରବୀନ୍ଦ୍ରନାଥ ଟାଗୋର ୩ଥର ପ୍ରସିଦ୍ଧ ବୈଜ୍ଞାନିକ “ଅଲବର୍ଟ ଆଇନଷ୍ଟାଇନ”ଙ୍କ ସହ ମିଶିଥିଲେ ଏବଂ ଏପରି କୁହାଯାଏ ଯେ, ଅଲବର୍ଟ ଆଇନଷ୍ଟାଇନ ରବୀନ୍ଦ୍ରନାଥ ଟାଗୋରଙ୍କୁ ରବ୍ବୀ ଟାଗୋର ନାମରେ ଡାକୁଥିଲେ ।

• ରବୀନ୍ଦ୍ରନାଥ ଟାଗୋର ଅନେକ ଦେଶ ଭ୍ରମଣ କରିଥିଲେ ଏବଂ ସେ ୧୮୭୮ ରୁ ୧୯୩୦ ମଧ୍ୟରେ ୭ଥର ଲଣ୍ଡନ ଯାଇଥିଲେ ।

ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ଵାରା ଲିଖିତ ଥିବା ରଚନାଗୁଡିକ ଆଜି ମଧ୍ୟ ସାରା ବିଶ୍ୱରେ ପ୍ରସିଦ୍ଧ ଲାଭ କରିଛି ଏବଂ ବିଶ୍ୱର ସବୁଠାରୁ ମହାନ କବି ଏବଂ ଲେଖକମାନଙ୍କ ମଧରେ ତାଙ୍କ ନାମ ଗଣାଯାଉଛି ।