ପ୍ରତ୍ୟେକ ସହିଦ ପରିବାରଙ୍କୁ ଦେବେ ୫ ଲକ୍ଷ ଟଙ୍କା : ଅମିତାଭ ବଚ୍ଚନ

Spread the love

ମୁମ୍ବାଇ: ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସମସ୍ତ ଯବାନଙ୍କୁ ଶନିବାର ଅନ୍ତିମ ବିଦାୟ ଦେଇଛି ସମଗ୍ର ଦେଶ । ବଲିଉଡ୍‌ ବି ଏହି ଖବରରେ ମର୍ମାହତ। ସୂଚନା ରହିଛି ଯେ ବଲିଉଡ୍‌ ବାଦ୍‌ଶାହା ଅମିତାଭ ବଚ୍ଚନ ଆକ୍ରମଣରେ ସହିଦ ହୋଇଥିବା ସମସ୍ତ ଯବାନଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି । ସହିଦ ହୋଇଥିବା ୪୦ ଜଣ ଯବାନଙ୍କ ପରିବାରକୁ ସାହାଯ୍ୟ କରିବାକୁ ବିଗ୍‌ ବି ଘୋଷଣା କରିଛନ୍ତି ଯେ, ପ୍ରତି ସହିଦଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସାହାଯ୍ୟ ଦେବା ପାଇଁ ।

ଗୁରୁବାର ଜୈଶ-ଇ-ମହମ୍ମଦର ଜଣେ ଆତ୍ମଘାତୀ ଆକ୍ରମଣକାରୀ ଘଟାଇଥିଲା । ଏହି ବିସ୍ଫୋରଣକୁ ପୂରା ଦେଶ ନିନ୍ଦା କରୁଛି । ବିସ୍ଫୋରଣରେ ସହିଦ ହୋଇଥିବା ୪୦ ଯବାନଙ୍କ ପରିବାର ସହ ପୂରା ଦେଶ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି । ସହିଦ ପରିବାରଙ୍କୁ ବିଭିନ୍ନ ଆଡୁ ସମବେଦନା ସହ ଅନୁକମ୍ପାମୂଳକ ରାଶି ମଧ୍ୟ ପ୍ରଦାନ କରାଯାଉଛି ।

ଗତକାଲି ଅମିତାଭ ବଚ୍ଚନ ବିରାଟ କୋହଲିଙ୍କ ଫାଉଣ୍ଡେସନ୍‌ର ଏକ ଇଭେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ହେଲେ ବିଗ୍‌ ବି ସହିଦ ଯବାନଙ୍କୁ ସମ୍ମାନ ଜଣାଇ ଏହି ଇଭେଣ୍ଟକୁ ବାତିଲ୍‌ କରି ଦେଇଥିଲେ । ସେହିପରି ଗୀତିକାର ଜାଭେଦ୍‌ ଅଖ୍‌ତର ଓ ତାଙ୍କ ପତ୍ନୀ ତଥା ବର୍ଷୀୟାନ୍‌ ଅଭିନେତ୍ରୀ ଶବାନା ଆଜ୍‌ମୀ ପାକିସ୍ତାନର କରାଚିରେ ଏକ ଇଭେଣ୍ଟକୁ ବାତିଲ୍‌ କରି ଦେଇଛନ୍ତି ।

ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ବଲିଉଡ୍‌ ସୁରପଷ୍ଟାର ଶାହରୁଖ ଖାନ, ପ୍ରିୟଙ୍କା ଚୋପ୍ରା, ଅଭିଷେକ ବଚ୍ଚନ, ଅକ୍ଷୟ କୁମାରଙ୍କ ଠାରୁ ଆରମ୍ଭ କରି ବହୁ ଅଭିନେତା, ଅଭିନେତ୍ରୀ ନିନ୍ଦା କରିଛନ୍ତି ।

ସହିଦ ଯବାନଙ୍କ ପରିବାର ପ୍ରତି ରିଲାଏନ୍ସ ଫାଉଣ୍ଡେସନ୍‌ ମଧ୍ୟ ସହାୟତାର ହାତ ବଢ଼ାଇଛି । ପରିବାରର ପିଲା ମାନଙ୍କ ଶିକ୍ଷା ଓ ଚାକିରି ସମେତ ସବୁ ପ୍ରକାରର ଦାୟିତ୍ୱ ନେବାକୁ ରିଲାଏନ୍ସ ଫାଉଣ୍ଡେସନ୍‌ ପ୍ରସ୍ତୁତ ବୋଲି କହିଛି । ଏଥିସହ ଆକ୍ରମଣରେ ଆହତ ଯବାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ଫାଉଣ୍ଡେସନ୍‌ ପ୍ରସ୍ତୁତ ବୋଲି କହିଛି ।

ବିଗ୍‌ ବିଙ୍କର ସମବେଦନା ଓ ବଦାନ୍ୟତା ଏକ ନୂତନ ଉଦାହରଣ ସୃଷ୍ଟି କରିବ ନିଶ୍ଚୟ। ସେ ପ୍ରତି ସହିଦ ପରିବାରକୁ ୫ ଲକ୍ଷ ଲେଖାଏଁ ଟଙ୍କା ଦେବାର ଘୋଷଣା କରିଛନ୍ତି। ଅମିତାଭ ବଚ୍ଚନ ନିଜ ସଞ୍ଚିତ ଅର୍ଥରୁ ପ୍ରାୟ ୨ କୋଟିରୁ ଅଧିକ ଟଙ୍କା ଯବାନଙ୍କ ଲାଗି ଦେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି।