ପ୍ରତିଶୋଧ ନେବାକୁ ଜୈଶର ଧମକ ! ଜୈଶ-ଏ-ମହମ୍ମଦ ସ୍ୱୀକାର କରିଲା ଆତଙ୍କ ଶିବିରକୁ ନଷ୍ଟ କରିଛି ଭାରତୀୟ ବାୟୁସେନା

Spread the love

ଜୈଶ-ଏ-ମହମ୍ମଦ ଏକ କଥିତ ଅଡିଓ ଜାରି କରି ଏହି କଥାକୁ ସ୍ୱୀକାର କରିଛି ଯେ, ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ଦ୍ୱାରା ସେମାନଙ୍କ ଆତଙ୍କ ଶିବିରକୁ ସମ୍ପୂର୍ଣ୍ଣ ନଷ୍ଟ କରିଛି ।

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ଫେବୃଆରୀ ୨୬ ତାରିଖରେ ଭାରତୀୟ ବାୟୁସେନା ଦ୍ୱାରା ପାକିସ୍ଥାନ ଆତଙ୍କବାଦୀଙ୍କ ଶିବିର ଉପରେ ବିମାନ ଆକ୍ରମଣ କରି ଆତଙ୍କବାଦୀଙ୍କ ଶିବିରକୁ ଧ୍ବଂସ କରିଥିଲା କିନ୍ତୁ ପାକିସ୍ଥାନ ଏହିକଥାକୁ ସ୍ୱୀକାର କରିବାକୁ ନାରାଜ । କିନ୍ତୁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନିଜେ ଏକ କଥିତ ଅଡିଓ ଜାରି କରି ଏହି କଥାକୁ ସ୍ୱୀକାର କରି କହିଛି ଯେ, ଭାରତୀୟ ବାୟୁସେନାର ଏୟାର୍ ଷ୍ଟ୍ରାଇକ ଦ୍ଵାରା ତାଙ୍କର ଶିବିର ଧ୍ଵଂସ ହୋଇଯାଇଛି ।

ଆତଙ୍କ ସଂଗଠନ ଦ୍ୱାରା ଜାରି ହୋଇଥିବା ଅଡିଓରୁ, “ଯେଉଁଟି ଆମ୍ଭେମାନଙ୍କର ପ୍ରଶିକ୍ଷଣ ଶିବିର ଥିଲା, ସେଠାରେ ଭାରତୀୟ ବାୟୁସେନା ଆକ୍ରମଣ କରି ନଷ୍ଟ କରିଛି” । ଭାରତୀୟ ବାୟୁସେନା ଫେବୃଆରୀ ୨୬ ତାରିଖରେ ଭାରତ ଓ ପାକିସ୍ଥାନ ପିଓକେ ସୀମାରେ ଅତିକ୍ରମ କରି ଜୈଶ-ଏ-ମହମ୍ମଦର ଆତଙ୍କ ଶିବିରରେ ଏକ ହଜାର କିଲୋଗ୍ରାମ ବୋମା ବର୍ଷଣ କରିଥିଲା ।

ବର୍ତ୍ତମାନ ଏହାର ପ୍ରତିଶୋଧ ନେବାକୁ ଜୈଶ-ଏ-ମହମ୍ମଦ ସଂଗଠନ ଧମକ ଦେଇଛି । ଜୈଶ ଆକ୍ରମଣ କରିବା ଲାଗି ଯୋଜନା କରୁଥିବାର ଗୁଇନ୍ଦା ବିଭାଗକୁ ସୂଚନା ମିଳିଛି । ପୂର୍ବରୁ ଦିଲ୍ଲୀ ସମେତ ଭାରତର ବିଭିନ୍ନ ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ ଘଟାଇବାକୁ ଜୈଶ ଧମକ ଦେଇଥିଲା । ଏହା ପରେ ରାଜଧାନୀ ଦିଲ୍ଲୀରେ ଆଲର୍ଟ ଜାରି କରାଯାଇ ଥିବା ବେଳେ ସୁରକ୍ଷା କର୍ମୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦିଆ ଯାଇଥିବାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି ।

ସମ୍ପୃକ୍ତ ଅଧିକାରୀଙ୍କ କହିବା ଅନୁଯାୟୀ, ଜୈଶ ସଂଗଠନ ପୂର୍ବରୁ ଲଗାତର ଆକ୍ରମଣ କରିବାର ନଜର ରହିଛି । ୨୦୦୧ ଅକ୍ଟୋବରରେ ଏହି ସଂଗଠନ ଜାମ୍ମୁ-କାଶ୍ମୀର ବିଧାନସଭାରେ ଆକ୍ରମଣ କରିଥିଲା । ଏହାର ୨ମାସ ମଧ୍ୟରେ ସମାନ ଢଙ୍ଗରେ ସଂସଦ ଉପରେ ଆକ୍ରମଣ କରିଥିଲା । ତେଣୁ ପୁଲୱାମା ଆକ୍ରମଣ ପରେ ପୁଣି ଅନୁରୂପ ଆକ୍ରମଣ କରିପାରେ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି ।