ଆସୁଛି ବାତ୍ୟା ପେଥାଇ ! ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ, ୧୬ ତାରିଖରୁ ଦକ୍ଷିଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା,

Spread the love

ଆନ୍ଧ୍ରପ୍ରଦେଶ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ପେଥାଇ’। ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ଅବପାତ ଆଜି ଗଭୀର ଅବପାତରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ବାତ୍ୟାରେ ପରିଣତ ହେବ । ଆନ୍ଧ୍ରପ୍ରଦେଶର ଓଙ୍ଗୋଲ ଓ କାକ୍କିନଡା ମଧ୍ୟରେ ୧୭ ତାରିଖ ଅପରାହ୍‌ଣରେ ସ୍ଥଳଭାଗକୁ ସ୍ପର୍ଶ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହା ଦ୍ୱାରା ଆନ୍ଧ୍ରପ୍ରଦେଶ ଉପକୂଳ ଯଥେଷ୍ଟ ପ୍ରଭାବିତ ହେବ । ଏହାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟ ଗୁଡ଼ିକର ମୁଖ୍ୟ ଶାସନ ସଚିବଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି । ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗର ଉପକୂଳ ଅଶାନ୍ତ ରହିବ । ତେଣୁ ମତ୍ସଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (ପ୍ରବଳ ବର୍ଷା) ଜାରି ହୋଇଛି । ୧୭ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଇଛି । ୧୬ରୁ ୧୮ ତାରିଖ ମଧ୍ୟରେ ଅଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କେ‌ତେକ ସ୍ଥାନରେ ହାଲ୍‌କା ବର୍ଷା ହୋଇପାରେ । ଧାନ ଅମଳ ସମୟରେ ଚାଷୀଙ୍କ ଚିନ୍ତା ବଢାଇ ପାରେ ଅଦିନିଆ ଲଘୁଚାପ ବର୍ଷା । ତେବେ ଲଘୁଚାପ ପ୍ରଭାବରେ ଆସନ୍ତା କାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।