ଜାପାନ ବିଜ୍ଞାନ ମେଳକୁ ମନୋନୀତ ହେଲେ, ଢେଙ୍କାନାଳ ଛାତ୍ରୀ

Spread the love

ଢେଙ୍କାନାଳ ଜିଲ୍ଲାର ଦୁଇ ଜଣ ହାଇସ୍କୁଲ ଛାତ୍ରୀ ବିଜ୍ଞାନ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହେ।ଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏପରି କି ସେମାନଙ୍କ ପ୍ରକଳ୍ପ ରାଷ୍ଟ୍ରପତିଙ୍କ ଦ୍ଵାରା ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଖଲିବୋରେଇର ଉତ୍କଳ ଭାରତୀ ବିଦ୍ୟାପୀଠର ଦଶମ ଶ୍ରେଣୀର ଦୁଇ ଛାତ୍ରୀ ଶ୍ରୀୟଙ୍କା ସାମଲ ଓ ରଜିନୀ ହେମ୍ବ୍ରମ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ସପ୍ତମ ଜାତୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା (ଏନଏଲଇପିସି)ରେ ଅଂଶଗ୍ରହଣ କରିଥିଲେ । ସେଠାରେ ଶ୍ରେଷ୍ଠ ବିବେଚିତ ହୋଇ ଦୁଇ ଛାତ୍ରୀ ମାର୍ଚ୍ଚ ୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନର ସହଯୋଗ ତଥା ଭାରତ ସରକାରଙ୍କ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ବିଭାଗ ପରି ଚାଳନାରେ ନ୍ୟାସନାଲ ଇନୋଭେସନ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଫେଷ୍ଟିଭାଲ ଅଫ୍ ଇନୋଭେସନସ୍ ଆଣ୍ଡ୍ ଏଣ୍ଡୋପ୍ରେନିୟରସିପ୍ (ଫାଇନ)ରେ ଅଂଶ ଗ୍ରହଣ କରିଥିଲେ । ଶ୍ରୀୟଙ୍କ ବୟୋ ଆଜବେଷ୍ଟସ ଉପରେ ତାଙ୍କ ପ୍ରକଳ୍ପ ପ୍ରଦର୍ଶନ କରିଥିବା ବେଳେ ରଜନୀଙ୍କ ପ୍ରକଳ୍ପ ହାଇଟେକ୍ କ୍ରସର ଶ୍ରେଷ୍ଠ ବିବେଚିତ ହୋଇ ଜାପାନଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବିଜ୍ଞାନ ସମ୍ମିଳନୀ ପାଇଁ ମନୋନୀତ ହେ।ଇଛନ୍ତି ।

ଶ୍ରୀୟଙ୍କ ପ୍ରକଳ୍ପ ପରିଦର୍ଶନ ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରକଳ୍ପ ସମ୍ପର୍କରେ ପଚାରି ବୁଝିଥିଲେ । ଶ୍ରୀୟଙ୍କା କହିଥିଲେ ଯେ ଆଜବେଷ୍ଟସ ପରିବେଶ ପ୍ରଦୂଷଣ କରୁଛନ୍ତି । ତେବେ ତାଙ୍କ ଦ୍ଵାରା ପ୍ରସ୍ତୁତ ବାୟୋ ଆଜବେଷ୍ଟସ ପରିବେଶ ଉପରେ କୌଣସି କୁପରିଣାମ ଆଣିବ ନାହିଁ । ସେ ତାଙ୍କ ବାୟୋ ଆଜବେଷ୍ଟସ ନିର୍ମାଣରେ ତାଳପତ୍ର ଓ ମହୁଲ ଗଛର କ୍ଷୀରରେ ଆଜବେଷ୍ଟସ ପ୍ରସ୍ତୁତ କରିଛନ୍ତି । ତାଳପତ୍ର କୁ ଶୁଖାଇ ସେଥିରେ ମହୁଲ କ୍ଷୀରର ଲେପନ କରାଯାଇ ଚାଦର ପ୍ରସ୍ତୁତ କରାଯିବ । ଏଥରେ ପ୍ରସ୍ତୁତ ଆଜବେଷ୍ଟସ ପରିବେଶ ପ୍ରତି କୌଣସି ପ୍ରତିକୂଳ ପ୍ରଭାବ ପକାଇବ ନାହିଁ । ସେଥିପାଇଁ ତାଳ ଗଛ ଓ ମହୁଲ ଗଛ ବହୁଳ ପରିମାଣରେ ଲଗାଇବାର ଆବଶ୍ୟକତା ରହିଛି । ବେଲି ଶ୍ରୀୟଙ୍କା ରାଷ୍ଟ୍ରପତିଙ୍କୁ କହିଥିଲେ । ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଶ୍ରୀୟଙ୍କାଙ୍କ କଥାରେ ଏତେ ମୁଗ୍ଧ ହୋଇଥିଲେ ଯେ, ସେ ତାଙ୍କ ପ୍ରକଳ୍ପ ସମ୍ମୁଖରେ କିଛି କ୍ଷଣ ଅଟକି ଯାଇଥିଲେ । ଏପରିକି ଶ୍ରୀୟଙ୍କାଙ୍କୁ ପାଖକୁ ଡାକି ଫଟୋ ଉଠାଇଥିଲେ । ଅନ୍ୟ ପକ୍ଷରେ ସେହି ସ୍କୁଲର ଛାତ୍ରୀ ରଜନୀଙ୍କ ପ୍ରକଳ୍ପ ହାଇଟେକ କ୍ରସର (ଡାଲି ପ୍ରୋସେସିଂ) ଉଚ୍ଚ ପ୍ରଶଂସିତ ହୋଇ ଜାପାନ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି । ୮୫୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ରଜନୀଙ୍କ ପ୍ରକଳ୍ପ ଆନ୍ତର୍ଜାତୀୟ ସମ୍ମିଳନୀ ପାଇଁ ମନୋନୀତ ହେବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାନନ୍ଦ ପରିଡା ଆନନ୍ଦ ପ୍ରକାଶ କରିଛନ୍ତି । ରଜନୀଙ୍କ କହିବାନୁଯାୟୀ ମାତ୍ର ୭୦୦ ରୁ ୮୦୦ ଟଙ୍କା ମଧ୍ୟରେ ଏହି ପ୍ରକଳ୍ପ ପ୍ରସ୍ତୁତ ହୋଇପାରିବା । ଦୁଇ ଛାତ୍ରୀଙ୍କ ଗାଇଡ ଶିକ୍ଷକ ପ୍ରଭାତ କୁମାର ଘଡାଇଙ୍କ କହିବାନୁଯାୟୀ ରଜନୀ ଯେଉଁ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି ତାହାର ଉପଯୋଗ କରି କୃଷକମାନେ ବିଶେଷ ଉପକୃତ ହେବେ । ସ୍ୱଳ୍ପ ମୂଲରେ ସେମାନେ ଡାଲି ପ୍ରୋସେସିଂ କରି ପାରିବେ ବୋଲି କହିଛନ୍ତି ।