କ୍ଷମା ମାଗିଲେ ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍, ଜଣାନ୍ତୁ କାରଣ…

Spread the love

ସିଓଲ,୨୫/୯: ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ କ୍ଷମା ମାଗିଥିବା ଜଣାପଡ଼ିଛି। ଦକ୍ଷିଣ କୋରିଆର ଜଣେ ଅଧିକାରୀଙ୍କୁ ଉତ୍ତର କୋରିଆର ସୈନ୍ୟମାନେ ହତ୍ୟା କରିବା ପରେ ଏହାକୁ ନେଇ କିମ୍ ଦୁଖଃ ପ୍ରକାଶ କରିଛନ୍ତି। ଏଥିସହ ଏହା ଏକ ଅପ୍ରତ୍ୟାଶିତ ଓ ଦୁର୍ଭାଗ୍ୟଜନକ ଘଟଣା ବୋଲି ସେ ଅଭିହିତ କରିଥିବା ଦକ୍ଷିଣ କୋରିଆର ସରକାରୀ ସୂତ୍ରରୁ ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଦକ୍ଷିଣ ଓ ଉତ୍ତର କୋରିଆର ବିବାଦୀୟ ସାମୁଦ୍ର ସୀମାରେ ବେଆଇନ ଭାବେ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କ ଉପରେ ନଜର ରଖିବା ପାଇଁ ସୋମବାର ଦକ୍ଷିଣ କୋରିଆର ଜଣେ ଅଧିକାରୀ ଡଙ୍ଗାରେ ଯାଇଥିଲେ। ସେଠାରୁ ସେ ନିଖୋଜ ହୋଇଯାଇଥିଲେ। ଦକ୍ଷିଣ କୋରିଆ ପକ୍ଷରୁ ସେହି ଅଧିକାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହା ପଛରେ ଉତ୍ତର କୋରିଆର ହାତ ରହିଥିବା ପଡ଼ୋଶୀ ଦକ୍ଷିଣ କୋରିଆ ଅଭିଯୋଗ କରିଥିଲା।

ଏବେ କିମ୍ ଜଙ୍ଗ ଉନ୍ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜାଇ ଇନ ଓ ଦକ୍ଷିଣ କୋରିଆବାସୀଙ୍କୁ କ୍ଷମା ମାଗିଛନ୍ତି। ସେ ଦକ୍ଷିଣ କୋରିଆକୁ ପଠାଇଥିବା ମେସେଜରେ କହିଛନ୍ତି ଯେ ଦକ୍ଷିଣ କୋରିଆ କରୋନା ଭାଇରସ ଭଳି ମହମାରୀ ସହ ଲଢ଼େଇ କରୁଥିବାବେଳେ ଅତ୍ୟନ୍ତ ଅପ୍ରତ୍ୟାଶିତ ଓ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ଏଥିପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ଏହା ଭୁଲବଶତଃ ଘଟିଛି ବୋଲି ସେ ବାର୍ତ୍ତାରେ କହିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ଉତ୍ତର କୋରିଆର ସୈନିକମାନେ ପ୍ରଥମେ ଦକ୍ଷିଣ କୋରିଆର ଅଧିକାରୀଙ୍କୁ ଗୁଳିକରି ହତ୍ୟା କରିଥିଲେ। ପରେ ତାଙ୍କୁ ଜଳାଇ ଦେଇଥିଲେ। ଏହି ଘଟଣାକୁ ଦକ୍ଷିଣ କୋରିଆ ତୀବ୍ର ନିନ୍ଦା କରିଥିଲା। ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ଅଧିକାରୀ ଜଣକ ମଙ୍ଗଳବାର ଦ୍ୱିପହର ସୁଦ୍ଧା ଉତ୍ତର କୋରିଆ ତଟରେ ଥିଲେ। ଏହାପରେ ଉତ୍ତର କୋରିଆର ସୈନିକମାନେ ତାଙ୍କୁ ଗୁଳିକରି ହତ୍ୟା କରିଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।