ଗର୍ବରେ ନିଜକୁ କେବେ ଭୁଲ ନାହିଁ । ସବୁବେଳେ ମନେ ରଖନ୍ତୁ ଆଗରେ ଆମେ କେମିତି ଥିଲୁ ?

Spread the love

ଅନେକ ଦିନ ତଳର କଥା । ଗୋଟିଏ ଜଙ୍ଗଲରେ ଏକ ମହର୍ଷି ଋଷି ରହୁଥିଲେ । ଋଷି ସର୍ବଦା ଭଗବାନଙ୍କ ପୂଜାର୍ଚ୍ଚନା କରୁଥିଲେ ଓ ଧ୍ୟାନ ମଧ୍ୟ କରୁଥିଲେ । ଗୋଟିଏ ଦିନ ସେ ତପସ୍ୟାରେ ମଗ୍ନ ଥିବା ସମୟରେ ଆକାଶରେ ଉଡୁଥିବା କାଉ ବା ଚିଲର ପାଟିରୁ ମୂଷା ଖସି ସିଧା ସେହି ଋଷି ଉପରେ ପଡ଼ିଲା । ଋଷି ଦେଖିଲେ କି ସେହି ମୂଷାକୁ ବହୁତ ଆଘାତ ପାଇଛି ।

ମୂଷାର ଅବସ୍ଥା ଦେଖି ମହର୍ଷି ମନରେ ମୂଷା ପ୍ରତି ଦୟା ଆସିଲା । ମହର୍ଷି ମୂଷାକୁ ଦାନା ଓ ପାଣି ଦେଇ ଲାଳନପାଳନ କରିବା ଦ୍ୱାରା ମୂଷା ଅଳ୍ପ ଦିନରେ ହିଁ ହୃଷ୍ଟପୃଷ୍ଟ ହେଇଗଲା । ଦିନେ କେମିତି ଗୋଟିଏ ବିଲେଇକୁ ସେହି ମୂଷା ନଜରରେ ପଡ଼ିଗଲା । ସେହି ଦିନ ଠାରୁ ବିଲେଇ ସର୍ବଦା ସେହି ମୂଷାକୁ ନିଜର ଭୋଜନ କରିବାକୁ ପ୍ରୟାସ କରୁଥିଲା । ଦିନେ ସୁଯୋଗ ଦେଖି ମୂଷା ଉପରେ ଡେଇଁବାରୁ, ମୂଷା ସେଠାରୁ ନିଜର ପ୍ରାଣକୁ ବଞ୍ଚେଇ ଭୟଭୀତ ହୋଇ ଋଷିଙ୍କ ପାଖରେ ଲୁଚିଗଲା । ମୂଷାର ଏଭଳି ଅବସ୍ଥା ଦେଖି ଋଷିମନରେ ଦୟା ଆସିଲା, କାରଣ ଜାଣିବା ପରେ ଋଷି ସେହି ମୂଷାକୁ ବିଲେଇ କରିଦେଲେ ।

ଏବେ ମୂଷା ବିଲେଇ ହୋଇ ବହୁତ ଖୁସିରେ ଥିଲା । କିନ୍ତୁ ଅଳ୍ପ ଦିନରେ ହିଁ ଖୁସି ଚାଲିଗଲା । କାରଣ ସେଠାର ଆଖପାଖରେ ଥିବା କୁକୁରର ନଜରରେ ପଡିଗଲା ସେହି ବିଲେଇ । ବିଲେଇ ଏବେ ପୁଣି ଡରି ରହିବାକୁ ଲାଗିଲା । ଦିନେ ସେହି କୁକୁର, ବିଲେଇକୁ ଧରିଦେଲା ! ବିଲେଇ ସେଠାରୁ ବହୁତ କଷ୍ଟରେ ନିଜ ପ୍ରାଣ ବଞ୍ଚାଇ ଆସିଲା ଓ ମହର୍ଷିଙ୍କ ପାଖକୁ ପହଞ୍ଚି ନିଜ ସମସ୍ୟା ଜଣେଇଥିଲା । ମହର୍ଷି ଭାବିଲେ ୟାକୁ କୁକୁର କରିଦେଲେ ଆଉ କିଛି ଅସୁବିଧା ହେବ ନାହିଁ । ମହର୍ଷି ତୁରନ୍ତ ନିଜ କମଣ୍ଡଳରୁ ପାଣି କାଢି ସେହି ବିଲେଇ ଉପରେ ପକେଇବାରୁ ସେ ତତକ୍ଷଣାତ ବିଲେଇରୁ କୁକୁର ରୂପେ ପରିବର୍ତ୍ତନ ହୋଇଗଲେ । କିନ୍ତୁ ଏବେ ପୁଣି ସେ ଜଙ୍ଗଲର ରାଜା ସିଂହର ନଜରରେ ପଡିଗଲା । କୁକୁର ହୋଇଥିବା ମୂଷା ପୁଣି ମହର୍ଷିଙ୍କ ପାଖକୁ ଯାଇ ଏହି ବିଷୟରେ କହିବାରୁ ମହର୍ଷି ତାକୁ ତୁରନ୍ତ ସିଂହ କରିଦେଲେ ।

ଏହିଭଳି ମୂଷା ଅନ୍ତିମରେ ଜଙ୍ଗଲର ରାଜା ହେଇଗଲା । କିନ୍ତୁ ମହର୍ଷି ଏବେ ମଧ୍ୟ ତାକୁ ମୂଷା ଭାବି ପ୍ରେମ କରୁଥିଲେ । ଆଶ୍ରମରେ ମହର୍ଷିଙ୍କୁ ଦର୍ଶନ କରିବାକୁ ଆସୁଥିବା ଅଧିକାଂଶ ଶ୍ରଦ୍ଧାଳୁ; ସେହି ସିଂହକୁ ଦେଖି କହୁଥିଲେ କି “ଏ ଦିନେ ମୂଷା ଥିଲା” କିନ୍ତୁ ମହର୍ଷି ୟାକୁ ନିଜ ଶକ୍ତି ବଳରେ ମୂଷା ରୁ ସିଂହ ରୂପେ ପରିବର୍ତ୍ତନ କରିଥିଲେ । ଆଶ୍ରମକୁ ଯାଉଥିବା ପ୍ରତ୍ୟେକ ଶ୍ରଦ୍ଧାଳୁ ସିଂହକୁ ଦେଖି ଦିନେ ମୂଷା ଥିଲା ବୋଲି ଅନ୍ୟମନଙ୍କୁ କହୁଥିଲେ ।

ମୂଷା ନିଜକୁ ସିଂହ ଭାବି ବହୁତ ଗର୍ବ କରୁଥିଲା । ଲୋକମାନେ କହୁଥିବା ସେହି କଥା ଗୁଡିକ ସିଂହ (ମୂଷା)କୁ ଭଲ ଲାଗୁନଥିଲା ଓ ସେ ବହୁତ କ୍ରୋଧିତ ହେଉଥିଲା । ଦିନେ ସିଂହ ଭାବିଲା ଯେତେଦିନ ପର୍ଯ୍ୟନ୍ତ ମହର୍ଷି ବଞ୍ଚି ରହିବେ ସେତେଦିନ ପର୍ଯ୍ୟନ୍ତ ଲୋକମାନେ ମୋତେ ମୂଷା ହିଁ କହିବେ ଓ ମୂଷା ହିଁ ମୋର ଅସଲି ରୂପ ବୋଲି କହି ମୋତେ ଅପମାନ କରୁଥିବେ । ମୁଁ ଯଦି ମହର୍ଷିଙ୍କୁ ହିଁ ମାରିଦେବି, ତେବେ ଏହି କାହାଣୀ ବନ୍ଦ ହୋଇଯିବ ଓ ମୋତେ ଆଉ କେହି ଅପମାନ କରିବେ ନାହିଁ । ମୂଷାର ଏଭଳି ଭାବନା ବିଷୟରେ ମହର୍ଷି ଧ୍ୟାନ ବଳରେ ତୁରନ୍ତ ଜାଣିପାରିଲେ । ତେବେ ମହର୍ଷି ତୁରନ୍ତ ସେହି ସିଂହକୁ ମୂଷା କରି ସେହି ଆଶ୍ରମରୁ ବାହାର କରିଦେଲେ ।

କାହାଣୀରୁ ଏହା ଶିଖିବା ଉଚିତ କି, ଆମେ ଜୀବନରେ କେତେ ବି ଉନ୍ନତି ହେଲେ ବା କରିଲେ, ଆମେ ନିଜକୁ କେବେ ଭୁଲିବା ଉଚିତ ନୁହେଁ ।