ମମତାଙ୍କ ଗଡରେ ମୋଦୀଙ୍କ ମେଜିକ୍ ! ବର୍ତ୍ତମାନ ବିପଦରେ ମମତାଙ୍କ ଗାଦି !

କୋଲକାତା: ଉତ୍ତରରୁ ନେଇ ଦକ୍ଷିଣ ପର୍ଯ୍ୟନ୍ତ ଏବଂ ପୂର୍ବରୁ ନେଇ ପଶ୍ଚିମ ପର୍ଯ୍ୟନ୍ତ ଚର୍ତୁପର୍ଶ୍ଵରେ କେବଳ ବିଜେପିର ହିଁ ବିଜୟ ପତାକା । ଚାରିଆଡେ କେବଳ ମୋଦି ଜୟ ଜୟ କର ଧ୍ୱନି । ମୋଦିମୟର ରଙ୍ଗରେ ଭାରତୀୟ ରାଜନୀତି ବି ରଙ୍ଗେଇ ଗଲା । ଅନ୍ୟପଟେ ମମତା ଦିଦିଙ୍କ ସତ୍ତା ଧ୍ୱସ୍ତ ହୋଇଯାଇଛି ।
ମମତାଙ୍କ ସବୁ ଅଙ୍କ ଭୁଲ୍ ହୋଇଗଲା । ୪୨ଟି ଯାକ ଆସନ ଜିତିବାର ଚ୍ୟାଲେଞ୍ଜ ନିଷ୍ଫଳ ହେଲା । ପଶ୍ଚିମବଂଗରେ ମୋଦୀ ଲହର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀଙ୍କ ଦମ୍ଭ ଭାଙ୍ଗି ଦେଇଛି । ୪୨ରୁ ୧୯ଟି ଆସନ ବିଜେପି ଦଖଲକୁ ଯାଇଛି । ତୃଣମୂଳର ବିଜୟୀ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଦଳର ନେତ୍ରୀ । ୪୨ଟି ଲୋକସଭା ଆସନରୁ ତୃଣମୂଳକୁ ମିଳିଛି ମାତ୍ର ୨୨ଟି । ଷୋଡ଼ଶ ଲୋକସଭା ନିର୍ବାଚନ ଅର୍ଥାତ୍ ୨୦୧୪ରେ ଟିଏମ୍ସି ୩୪ଟି ଆସନ ହାତେଇ ଥିବାବେଳେ ବିଜେପିକୁ ମିଳିଥିଲା ମାତ୍ର ୨ଟି । କଂଗ୍ରେସ ୪ଟିରେ ବିଜୟୀ ହୋଇଥିବାବେଳେ ବାମଫ୍ରଣ୍ଟକୁ ମିଳିଥିଲା ମାତ୍ର ୨ଟି ଆସନ । ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିବାବେଳେ ବାମଫ୍ରଣ୍ଟ ଖାତା ଖୋଲିପାରି ନାହିଁ । ସଦ୍ୟ ଆକଳନରୁ ଜଣାପଡ଼ିଛି, ଚଳିତ ନିର୍ବାଚନରେ ଟିଏମ୍ସି ୪୪.୬୧ ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଜେପି ଏହାର ପାଖାପାଖି ଅର୍ଥାତ୍ ୩୯.୦୩ ପ୍ରତିଶତ ଭୋଟ୍ ହାତେଇଛି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜୟୀ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଫଳାଫଳର ସମ୍ପୂର୍ଣ୍ଣ ସମୀକ୍ଷା ହେବା ଦରକାର ବୋଲି କହିଛନ୍ତି । ମମତା କହିଛନ୍ତି, ଯେଉଁମାନେ ପରାଜୟ ବରଣ କରିଛନ୍ତି ସେମାନେ ସମସ୍ତେ ପରାଜିତ ନୁହଁନ୍ତି । ଆମେ ସମ୍ପୂର୍ଣ୍ଣ ସମୀକ୍ଷା କରି ସାରିବା ପରେ ଅନ୍ୟମାନଙ୍କ ସମ୍ମୁଖରେ ମତାମତ ରଖିବା । ଭୋଟ୍ ଗଣତି ସରୁ ଏବଂ ଭିଭିପିଏଟି ମ୍ୟାଚ୍ ଶେଷ ହେଉ ବୋଲି ମମତା ଟ୍ବିଟ୍ କରିଛନ୍ତି । ବିଜେପି ଜାତୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟ କହିଛନ୍ତି, ଏହି ଟ୍ରେଣ୍ଡରୁ ଯାହା ଜଣାପଡ଼ୁଛି ବଙ୍ଗଳାରେ ଟିଏମ୍ସିର କୁଶାସନ ସୀମା ଅତିକ୍ରମ କରିଛି । ବଙ୍ଗଳାରେ ନିର୍ବାଚନୀ ହିଂସାକାଣ୍ଡ ସମଗ୍ର ବିଶ୍ଵରେ ରେକର୍ଡ କରିଛି । ତେଣୁ ବଙ୍ଗଳାର ଜନତା ପରିବର୍ତ୍ତନ ପାଇଁ ସମର୍ଥନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କ ନେତୃତ୍ଵକୁ ବିଶ୍ଵାସ କରି ରାଜ୍ୟବାସୀ ମତାମତ ଜଣାଇଛନ୍ତି ।
ରାଜ୍ୟରେ ବିଜେପିର ଭଲ ଫଳ ପ୍ରଦର୍ଶନ ଦଳର କର୍ମୀ ସମର୍ଥକଙ୍କୁ ଅଧିକ ଉତ୍ସାହିତ କରିଛି । ଫଳାଫଳ ଜଣାପଡ଼ିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ସମେତ ବିଭିନ୍ନ ଜିଲ୍ଲା କାର୍ଯ୍ୟାଳୟମାନଙ୍କରେ ବିଜେପି କର୍ମୀମାନେ ବିଜୟ ଉତ୍ସବ ପାଳନ କରିଛନ୍ତି ।