ମେୟର ହୋଇ ମଧ୍ୟ ବୁଲି ବୁଲି କ୍ଷୀର ବିକ୍ରି କରୁଛନ୍ତି – ଅଜିଥା ବିଜୟନ !

Spread the love

୧୮ବର୍ଷ ହେଲା ଘରଘର ବୁଲି କ୍ଷୀର ବିକ୍ରି କରୁଥିବା ଏହି ମହିଳା ‘ଅଜିଥା ବିଜୟନ’ ଗଲା ମାସ ଡିସେମ୍ବରରେ କେରଳର ଥ୍ରୀଶୁର ସହରର ମେୟର ଗାଦିରେ ବସିଛନ୍ତି । ଏହା ଆଗରୁ ସିଏ କାଉନସିଲର ରହି ସାରିଛନ୍ତି । ସି.ପି.ଆଇ.ର ଜଣେ ଛୋଟିଆ କାର୍ଯ୍ୟକର୍ତ୍ତା ହୋଇ ମଧ୍ୟ ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ସିଏ ଆଜି ସଫଳତାର ସ୍ଵାଦ ଚାଖିଛନ୍ତି । ହେଲେ, କ୍ଷୀର ବିକିବା କାମ ଛାଡ଼ି ପାରି ନାହାନ୍ତି କି ଛାଡ଼ିବେନି ବୋଲି କହିଛନ୍ତି । ସ୍ୱାମୀଙ୍କ ଛୋଟ କ୍ଷୀର ଷ୍ଟଲଟିଏ ରହିଛି । ଭୋର ୪ଟାରୁ ଉଠି ଅଜିଥା ସେଇଠୁ ନିଜ ଗାଡ଼ିରେ କ୍ଷୀର ପ୍ୟାକେଟ ଧରି ବାହାରି ପଡ଼ନ୍ତି । ନିଜ ଓ୍ବାର୍ଡର ପ୍ରାୟ ୨୦୦ ଲୋକଙ୍କ ଜଣଙ୍କ ଘରେ କ୍ଷୀର ପହଞ୍ଚାଇ ଦିଅନ୍ତି । ଏହି କାମରୁ ମାସକୁ ପ୍ରାୟ ୧୦ ହଜାର ଟଙ୍କା ରୋଜଗାର କରି ସ୍ବାମୀଙ୍କୁ ସାହାଯ୍ୟ କରିବା ସହ ପରିବାର ଚଳାଇବାରେ ସହଯୋଗର ହାତ ବଢାଇ ଆସୁଛନ୍ତି ସେ ।

ଅଜିଥା କୁହନ୍ତି ସତ୍ ଉପାୟରେ କରାଯାଉଥିବା କୌଣସି କାମ ଛୋଟ ନୁହେଁ । ତାଙ୍କ ମତରେ ମଣିଷ ଝାଳ ବୁହାଇ ଯେଉଁ କାମ କରେ ତାହା କେମିତି ଛୋଟ ହେଇ ପାରିବ । ପରିଶ୍ରମ କରି ଯେଉଁ ଦୁଇ ପଇସା ମିଳେ ସେଥିରୁ ପ୍ରଚଣ୍ଡ ଆତ୍ମତୃପ୍ତି ମିଳେ । ତାଙ୍କୁ ଏଇ କାମ ବହୁତ ଶାନ୍ତି ଦିଏ । “ଲୋକ କ’ଣ ଭାବିବେ”..ଯଦି ଏଇ ପଦୁଏ କଥାକୁ ଅଜିଥା ଗୁରୁତ୍ୱ ଦେଇଥାନ୍ତେ ତାଙ୍କ କାମରେ ସିଏ ଆଜି ସଫଳ ହେଇ ପାରି ନଥାନ୍ତେ। ଘରେ ବସି ରହିଥାନ୍ତେ ।

ତାଙ୍କ କହିବାନୁସାରେ, ମେୟର ହେବା ପରେ ଘରଘର ବୁଲି କ୍ଷୀର ବିକିବା ବେଳେ ଲୋକଙ୍କ ସମସ୍ୟା ଶୁଣିବା ସହଜ ହେଇ ପାରିବ । ଲୋକଙ୍କ ସହ ମିଶିବା ସହଜ ହେଇ ପାରିବ । ଲୋକଙ୍କ ପାଖରେ କ୍ଷୀର ପ୍ୟାକେଟ ପହଞ୍ଚାଇ ସିଏ ସେମାନଙ୍କ ସୁଖଦୁଃଖ ଶୁଣି ପାରିବେ ।
“କିଏ କ’ଣ ଭାବିବ”, “କିଏ କ’ଣ କହିବ”… ଏମିତି ଚିନ୍ତା କରି ନିଜ ସ୍ୱପ୍ନକୁ ମାରି ଦେଉଥିବା ଲୋକମାନଙ୍କ ପାଇଁ ଅଜିଥା ଏକ ଉଦାହରଣ ।