ଥରଟିଏ ପଢନ୍ତୁ, କେହି ଆପଣଙ୍କୁ କିଛି ଦେଲେ, ଆପଣ ଧନୀ ହୋଇପାରିବେ ନାହିଁ ! କେବଳ ଭାଗ୍ୟ ବଳରେ ହିଁ ମନୁଷ୍ୟ ଧନୀ ହୋଇଥାଏ !

Spread the love

ଅନେକ ପୌରାଣିକ କାହାଣୀ ପଢି ଥିବେ, ଏହି କାହାଣୀକୁ ମଧ୍ୟ ଥରଟିଏ ପଢନ୍ତୁ ନିଶ୍ଚୟ ଭଲ ଲାଗିବ :

ଶ୍ରୀକୃଷ୍ଣ ଓ ଅର୍ଜୁନ ଭ୍ରମଣ କରୁଥିବା ମାର୍ଗରେ ଗୋଟେ ନିର୍ଧନ ବ୍ରାହ୍ମଣ ଭିକ୍ଷା ମାଗୁଥିବାର ଦେଖିଲେ । ସେହି ବ୍ରାହ୍ମଣଙ୍କ ଉପରେ ଅର୍ଜୁନଙ୍କ ଦୟା ଆସିଲା । ତେଣୁ ସେ ସେହି ବ୍ରାହ୍ମଣକୁ ସ୍ବର୍ଣ୍ଣ ମୁଦ୍ରାରେ ଭର୍ତ୍ତି ଗୋଟିଏ ମୁଣି ଦେଲେ । ବ୍ରାହ୍ମଣ ତାକୁ ନେଇ ଖୁସିର ସହ ନିଜ ସୁଖଦ ଭବିଷ୍ୟତ ବିଷୟରେ ଭାବି ନିଜ ଘରକୁ ଯାଉଥିଲା । କିନ୍ତୁ ସେ ବ୍ରାହ୍ମଣର ଭାଗ୍ୟ ତା’ର ସାଥି ନ ଥିଲା । ଯିବା ବାଟରେ ଗୋଟେ ଲୁଟେରା ତାଙ୍କ ମୁଣିକୁ ଛଡେଇ ନେଇ ଚାଲିଗଲା । ଏହି କାରଣ ଯୋଗୁଁ ସେହି ବ୍ରାହ୍ମଣ ଦୁଖୀ ହେଇ ପୁଣି ଭିକ୍ଷା ମାଗିବାକୁ ଲାଗିଲା ।

ତା’ପରଦିନ ପୁଣି ଅର୍ଜୁନଙ୍କ ଦୃଷ୍ଟି ବ୍ରାହ୍ମଣଙ୍କ ଉପରେ ପଡିଲା ଓ ସେ ଏହାର କାରଣ ପଚାରିଲେ । ବ୍ରାହ୍ମଣ ଜଣଙ୍କ ଲୁଟେରାଙ୍କ ବିଷୟରେ ଜଣାଇଲେ । ତାଙ୍କ କଥା ଶୁଣି ଅର୍ଜୁନଙ୍କୁ ପୁଣି ଦୟା ଆସିଲା । ତେଣୁ ଅର୍ଜୁନ ଏଥର ଗୋଟେ ମୂଲ୍ୟବାନ ମଣି ଦେଲେ । ବ୍ରାହ୍ମଣ ନିଜ ଘରକୁ ଫେରିଆସି ସେହି ମଣିକୁ ଗୋଟେ ମାଟି ମାଠିଆ ଭିତରେ ରଖିଦେଲେ । ଦୁର୍ଭାଗ୍ୟ ବଶତଃ, ତାଙ୍କ ସ୍ତ୍ରୀ ପାଣି ଆଣିବାକୁ ନଈକୁ ଯିବା ବାଟରେ ତାଙ୍କ ମାଠିଆଟି ଭାଙ୍ଗିଗଲା ଏବଂ ସେ ଘରକୁ ଫେରି ଆସି ପୁରୁଣା ମାଠିଆଟି ନେଇ ପାଣି ଆଣିବା ପାଇଁ ଚାଲିଗଲେ, ଯେଉଥିଲେ ବ୍ରାହ୍ମଣ ଜଣକ ଅର୍ଜୁନ ଦେଇଥିବା ମଣିଟି ରଖିଥିଲେ । ମାଠିଆଟି ଯେମିତି ପାଣିରେ ବୁଡ଼େଇଛନ୍ତି ମାଠିଆରେ ଥିବା ମଣିଟି ପାଣିରେ ବୋହିଗଲା । ବ୍ରାହ୍ମଣ ଯେବେ ଏହି କଥା ଜାଣିଲେ, ସେ ତାଙ୍କ ଭାଗ୍ୟକୁ ଦୋଷ ଦେବାକୁ ଲାଗିଲେ ।

ଭଗବାନ ଶ୍ରୀକୃଷ୍ଣ ଓ ଅର୍ଜୁନ ସେହି ବ୍ରାହ୍ମଣଙ୍କୁ ପୁଣି ଭିକ୍ଷା ମାଗୁଥିବାର ଦେଖି ତା’ର କାରଣ ପଚାରିଲେ ଏବଂ ବ୍ରାହ୍ମଣ ମଣି ହଜି ଯାଇଥିବାର ଘଟଣା ସବୁକୁ କହିଲେ । ତାହା ଶୁଣି ଅର୍ଜୁନ ହତାଶ ହେଇଗଲେ । ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, ଯେତେ ଯାଏ ଭାଗ୍ୟ ନ ବଦଳିଛି, ସେତେ ପର୍ଯ୍ୟନ୍ତ ତା’ର ଜୀବନରେ ସୁଖ ଆସି ପାରିବ ନାହିଁ । ଏତିକି କହି ଶ୍ରୀକୃଷ୍ଣ ବ୍ରାହ୍ମଣଙ୍କୁ ଦୁଇ ପଇସା ଦାନରେ ଦେଲେ ।

ବ୍ରାହ୍ମଣ ଘରକୁ ଯିବା ବାଟରେ ଏହା ଭାବୁଥିଲେ ଯେ ପ୍ରଭୁ ତାଙ୍କୁ ଏତେ ତୁଚ୍ଛ ଦାନ କେମିତି ଦେଲେ । ପ୍ରଭୁଙ୍କର ଏ କି ଲୀଳା । ଏମିତି ଭାବିବା ସମୟରେ ବ୍ରାହ୍ମଣଙ୍କ ଦୃଷ୍ଟି ଗୋଟେ କେଉଟର ଜାଲରେ ପଡିଲା, ଦେଖିଲେ ଯେ ସେହି ଜାଲରେ ଗୋଟେ ମାଛ ଫସି ଯାଇଛି ଏବଂ ମାଛଟି ସେଥିରୁ ବାହାରିବାକୁ ଚେଷ୍ଟା କରୁଛି । ଏହି ଦେଖି ବ୍ରାହ୍ମଣର ମାଛ ଉପରେ ଦୟା ଆସିଲା । ଏବଂ ଭାବିଲେ ଏହି ଦୁଇ ପଇସାରେ ପେଟର ଜ୍ୱାଳା ତ କମିବ ନାହିଁ ବରଂ ମାଛର ଜୀବନ ଟା ତ ବଞ୍ଚିଯିବ । ସେ ସେହି ମାଛର ସୌଦା କଲେ ଓ ତାକୁ ନେଇ ନିଜ କମଣ୍ଡଳରେ ରଖି ନଈରେ ଛାଡି଼ବାକୁ ଗଲେ । ମାଛକୁ କମଣ୍ଡଳରେ ରଖିବା ସମୟରେ ମାଛର ମୁହଁରୁ କିଛି ଗୋଟେ ଖସି ପଡିଲା, ବ୍ରାହ୍ମଣ ଦେଖିଲେ ଯେ ମାଛର ମୁହଁରୁ ଯାହା ଭୂମିରେ ପଡିଲା ତାହା ହେଉଛି ସେହି ମଣି, ଯାହାକୁ ସେ ମାଠିଆରେ ରଖିଥିଲେ । ମଣି ପାଇ ସେ ବହୁତ ଖୁସି ହେଲେ ଓ ଚିତ୍କାର କରିବାକୁ ଲାଗିଲେ ମିଳିଗଲା….ମିଳିଗଲା…..।

ଭାଗ୍ୟବଶତଃ ସେହି ସମୟରେ ସେହି ଲୁଟେରା ସେହି ବାଟ ଦେଇ ଯାଉଥିଲେ । ବ୍ରାହ୍ମଣଙ୍କ ପାଟି ଶୁଣି ଭୟଭୀତ ହେଇ ଭାବିଲେ ଯେ ବ୍ରାହ୍ମଣ ତାଙ୍କୁ ଚିହିଁ ପାରିଛି ଓ ରାଜ ଦରବାରରେ ତାଙ୍କ ନାମରେ ଅଭିଯୋଗ କରିବେ । ସେହି ଡରରେ ଲୁଟେରାମାନେ ସେ ବ୍ରାହ୍ମଣଙ୍କ ପାଖକୁ ଯାଇ କ୍ଷମା ଭିକ୍ଷା କଲେ ଏବଂ ଲୁଟିଥିବା ସମସ୍ତ ସ୍ବର୍ଣ୍ଣ ମୁଦ୍ରା ଫେରାଇ ଦେଲେ ।

ବନ୍ଧୁଗଣ ଏହି ଘଟଣାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏହା କହିଲେ ଯେ, ତୁମେ ଯେତେବେଳେ ସେ ବ୍ରାହ୍ମଣଙ୍କୁ ମୁଣି ଭରି ସ୍ବର୍ଣ୍ଣ ମୁଦ୍ରା ଓ ମଣି ଦେଲେ । ସେତେବେଳେ ସେ କେବଳ ନିଜ ସୁଖ ବିଷୟରେ ଭାବିଥିଲେ କିନ୍ତୁ ମୁଁ ଯେତେବେଳେ ମାତ୍ର ଦୁଇ ପଇସା ଦେଲି, ସେତେବେଳେ ଅନ୍ୟର ଦୁଃଖ ବିଷୟରେ ଭାବିଲେ (ଅର୍ଥାତ ମାଛର ଦୁଃଖ) ।

ସେଥିପାଇଁ ଯେବେ ଆପଣ ଅନ୍ୟର ଦୁଃଖ ବିଷୟରେ ଭାବୁଛନ୍ତି ଓ ଆପଣ ଅନ୍ୟର ମଙ୍ଗଳ କାମନା କରିବାକୁ ଯାଉଛନ୍ତି, ସେହି ସମୟରେ ଆପଣ ଈଶ୍ବରଙ୍କ କାର୍ଯ୍ୟ କରନ୍ତି ଓ ଈଶ୍ବର ଆପଣଙ୍କ ସାଥିରେ ରହନ୍ତି । ଯାହା ସହ ଈଶ୍ବର ଥାଆନ୍ତି ତାର ଭାଗ୍ୟ ବି ବଦଳିଯାଏ ।

ଅନୁଛେଦଟି ଭଲ ଲାଗିଲେ comment କରି ଜଣାନ୍ତୁ !