“ଆଉ କଣ କରିଥାନ୍ତି, କିଛି ତ ବାଟ ନ ଥିଲା । କାହାକୁ ତ ଗୋଟେ ଭୋଟ ଦେବି । ଶେଷରେ ଇଚ୍ଛା ନ ଥାଇ ବି ସେଇ ଲୋକକୁ ବାଧ୍ୟ ହେଇ ଭୋଟ ଦେଇ ଆସିଲି”….

Spread the love

“ଆଉ କଣ କରିଥାନ୍ତି, କିଛି ତ ବାଟ ନ ଥିଲା । କାହାକୁ ତ ଗୋଟେ ଭୋଟ ଦେବି । ଶେଷରେ ଇଚ୍ଛା ନ ଥାଇ ବି ସେଇ ଲୋକକୁ ବାଧ୍ୟ ହେଇ ଭୋଟ ଦେଇ ଆସିଲି”….

ଏମିତି କଥା କହୁଥିବା ଲୋକମାନେ ବଜାରରେ ଭଲ ଜିନିଷ ନ ମିଳିଲେ ବାଧ୍ୟ ହୋଇ ଘରକୁ ଖରାପ ଜିନିଷ ଧରିକି ଆସନ୍ତି କି ? କେହି ବଜାରକୁ ଫଳ କିଣିବାକୁ ଯାଇଛି, କୋଉଠି ବି ଭଲ ଫଳ ମିଳିବନି । ଯେଉଁ ଦୋକାନକୁ ଯିବ ପଚାସଢା ଫଳ ମିଳିବ । ଭଲ ଫଳ ମିଳୁନି ବୋଲି କେହି କଣ ଇଚ୍ଛା ନ ଥାଇ, ବାଧ୍ୟ ହୋଇ ସେଇ ପଚା, ଖାଇବାକୁ ଅଯୋଗ୍ୟ ଫଳ ଧରିକି ଘରକୁ ଆସିବ କି ? ଘରକୁ ଖାଲି ହାତରେ ଫେରିବେ ପଛେ କେହି ପଇସା ଦେଇ ପଚା ଫଳ କିଣିବେନି ।

ଠିକ ସେମିତି ଅଯୋଗ୍ୟ, ଅସମର୍ଥ, ଅର୍ଦ୍ଧଶିକ୍ଷିତ, ଅନଭିଜ୍ଞ ପ୍ରାର୍ଥୀଙ୍କୁ ବାଧ୍ୟ ହୋଇ ଭୋଟ ଦେବା କାହିଁକି ? ମତଦାନ ଯେମିତି ଏକ ସାମ୍ବିଧାନିକ ଅଧିକାର, ପ୍ରତ୍ୟାଖାନ ବି ସେମିତି ପ୍ରତ୍ୟକ ନାଗରିକର ଅଧିକାର । ଯଦି ପ୍ରାର୍ଥୀଙ୍କୁ ଅଯୋଗ୍ୟ ବୋଲି ଭାବୁଛନ୍ତି ତାହାହେଲେ ନୋଟା (NOTA)କୁ ବାଛନ୍ତୁ ।

ଏତିକିରେ ମନେ ରଖିବା ଉଚିତ, ଜବରଦସ୍ତି ପଚା ଫଳ କିଣି ଖାଇଲେ ଯେମିତି ଦେହ ଖରାପ ହେବ, ଅଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେଲେ ଆମ ଭବିଷ୍ୟତ ବି ସେମିତି କାଦୁଅ ଭିତରକୁ ଠେଲି ହେଇଯିବ ।

ଅଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ନ ଦେଇ ନୋଟାକୁ ହଁ କୁହନ୍ତୁ ।

ନୋଟା ନକରାତ୍ମକ ଭୋଟ ନୁହେଁ, ବରଂ ଆମ ଗଣତନ୍ତ୍ରର ଏକ ବିକଶିତ ବ୍ୟବସ୍ଥା । ପ୍ରତ୍ୟକ ନାଗରିକ ପାଇଁ ନୋଟା ହେଉଛି ଅଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରତ୍ୟାଖାନ କରିବାର ଏକ ବଳିଷ୍ଠ ଅସ୍ତ୍ର ।

ଗଲା ଡିସେମ୍ବରରେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରାୟ ୧୫ ଲକ୍ଷ ଭୋଟର ନୋଟାକୁ ହିଁ ଚୟନ କରିଥିଲେ । ଛତିଶଗଡ଼ରେ ଆପ, ସମାଜବାଦୀ ପାର୍ଟି ଓ ସିପିଆଇ ଠାରୁ ବି ଅଧିକ ଭୋଟ ନୋଟା ଆଡ଼କୁ ଯାଇଥିଲା ।

ଆପଣ ନୋଟାକୁ ଚୟନ କରିବା ମାନେ ନୁହେଁ ଯେ, ସେଇ ଅଯୋଗ୍ୟ ପ୍ରାର୍ଥୀଟି ହାରିଯିବ । ହେଲେ, ଏତିକି ହେବ ଆପଣଙ୍କୁ ଅନୁତାପ କରିବାକୁ ପଡ଼ିବ ନାହିଁ । ପଶ୍ଚାତାପ କରିବାକୁ ପଡ଼ିବ ନାହିଁ । ପଇସା ଦେଇ ପଚା ଫଳ କିଣି ଘରକୁ ଆଣିବାର ଅନୁଶୋଚନା ରହିବ ନାହିଁ । ଜବରଦସ୍ତି, ବାଧ୍ୟ ହୋଇ, ଅନ୍ୟ ଉପାୟ ନ ପାଇ ଆପଣଙ୍କ ମୂଲ୍ୟବାନ ଭୋଟଟିଏ ନଷ୍ଟ କରନ୍ତୁ ନାହିଁ । ପ୍ରତ୍ୟାଖାନ କରିବାର ଅଧିକାରର ସଦୁପଯୋଗ କରନ୍ତୁ ।

ଭୋଟ ଦେବା ସମସ୍ତଙ୍କ ଅଧିକାର । ନିଜର ବହୁ ମୂଲ୍ୟ ଭୋଟକୁ ନଷ୍ଟ କରନ୍ତୁ ନାହିଁ ।

Written by : Amitabh Pattnaik