ଶକ୍ତି ବିଭାଗ ତରଫରୁ ସୂଚନା, ଲୋକଙ୍କ ସୁରକ୍ଷା ପାଇଁ ବିଜୁଳି କଟାଯିବ । ୫୦ କିମିରୁ ଅଧିକ ବେଗରେ ପବନ ବୋହିଲେ କଟିବ ବିଜୁଳି ।

Spread the love

ବାତ୍ୟା ପ୍ରବଣ ଅଞ୍ଚଳ ପାଇଁ ବିଦ୍ୟୁତ୍ କଟକଣା ଜାରି କରିଛି ଶକ୍ତି ବିଭାଗ । ଭୟଙ୍କର ବାତ୍ୟା ‘ଫୋନି’ ଯେତିକି ପାଖଉଛି, ଲୋକମାନଙ୍କ ମନରେ ସେତିକି ଛନକା ପଶୁଛି । ଆଉ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ବଡ ନିଷ୍ପତ୍ତି ନେଇଛି ଶକ୍ତି ବିଭାଗ । ପବନର ବେଗ ୫୦ କିଲୋମିଟର ଛୁଇଁଲେ ବିଦ୍ୟୁତ ସରବରାହ କାଟି ଦିଆଯିବ । ଏହା ପରେ ବାତ୍ୟା ପବନ କମିବା ପରେ ସବୁ ଅଞ୍ଚଳକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବ । ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଆବଶ୍ୟକ ସ୍ଥାନରେ ମରାମତି କରାଯିବ ଏବଂ ଏହା ପରେ ବିଦ୍ୟୁତ ସଂଯୋଗ ଦିଆଯିବ । ଏନେଇ ଶକ୍ତି ବିଭାଗ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି ।

ବାତ୍ୟା ‘ଫୋନି’କୁ ନେଇ ଜନସାଧାରଣଙ୍କ ମନରେ ଭୟ ବଢିବାରେ ଲାଗିଛି । ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ପୁରୀରେ ମାଡ ହେବ ବାତ୍ୟା ଫୋନି । ଏହାସହ ଦିନ ୧୨ଟା ଯାଏଁ ବାତ୍ୟାର ପ୍ରଭାବ ଉପକୂଳବର୍ତ୍ତୀ ଜିଲ୍ଲାରେ ଅନୁଭୁତ ହେବ । ଏବେ ପୁରୀ ଠାରୁ ୩୨୦ କିଲୋମିଟର ଦୂରରେ ଏବଂ ବିଶାଖାପାଟଣା ଠାରୁ ୧୭୦ କିଲୋମିଟର ଦୂରରେ ବାତ୍ୟାର ଅବସ୍ଥିତି ରହିଛି । ବାତ୍ୟା ଏବେ ୧୭ କିଲୋମିଟର ବେଗରେ ସମୁଦ୍ର ପଥରେ ଗତି କରୁଥିବା ବେଳେ ଏହା ଆସନ୍ତାକାଲି ସକାଳୁ ସକାଳୁ ପୁରୀ ନିକଟରେ ମାଡ ହେବାର ସମ୍ଭାବନା ରହିଛି । ବାତ୍ୟା ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଂଟା ପ୍ରତି ୧୭୫ ରୁ ୧୮୫ ରହିବ । ଏହା ୨୦୦ କିଲୋମିଟର ଯାଏଁ ଛୁଇଁବାର ଆଶଙ୍କା କରାଯାଉଛି ।

କେବଳ ସେତିକି ନୁହେଁ ଏହାସହ ଗଛ ଉପୁଡି ବିଦ୍ୟୁତ ତାର ଉପରେ ପଡିଯିବାର ଭୟ ମଧ୍ୟ ରହିଛି । ବିଶେଷକରି ପ୍ରଚଣ୍ଡ ପବନ ବେଳେ ବିଦ୍ୟୁତ୍ ଟ୍ରାନ୍ସଫର୍ମରଗୁଡିକ ସର୍ଟ ସର୍କିଟ୍ ହୋଇ ଜଳିଯିବାର ଆଶଙ୍କା ରହିଛି । ତେବେ ଏହିସବୁ ଦୁର୍ଘଟଣାକୁ ଏଡାଇବା ପାଇଁ ପବନର ବେଗ ଅଧିକ ହେବା ମାତ୍ରେ ବିଜୁଳି କାଟ୍ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ତେଣୁ ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନେ ସେମାନଙ୍କ ମୋବାଇଲ, ଚାର୍ଜ ଲାଇଟ୍ ଆଦି ଚାର୍ଜ କରି ରଖିବା ସହ ପାଣି ମହଜୁଦ ରଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ବିଶେଷକରି ପବନ ସମୟରେ ବିଜୁଳି କାଟ୍ ହୋଇଥିଲେ ମଧ୍ୟ ବିଜୁଳି ଯନ୍ତ୍ରାଂଶକୁ ନଛୁଇଁବା ପାଇଁ ଆଡଭାଇଜରୀ ଜାରି କରାଯାଇଛି ।