କରୋନା ଟିକାର ମାନବ ପରୀକ୍ଷଣ ସଫଳ ।

Spread the love
Google

ୱାଶିଂଟନ୍: ଏକ ଅଦୃଶ୍ୟ ଶତ୍ରୁ ସହ ଏବେ ଲଢ଼େଇ କରୁଛି ସାରା ବିଶ୍ୱ। ମହାମାରୀ କରୋନା ସମଗ୍ର ବିଶ୍ୱର ୫୦ ଲକ୍ଷ ଲୋକଙ୍କୁ କବଳିତ କରି ସାରିଲାଣି। ଏଥିସହ ୩ ଲକ୍ଷ ୨୪ ହଜାର ୫ ଶହ ଲୋକଙ୍କ ପ୍ରାଣ ନେଲଣି ଏହି ଘାତକ ଭୂତାଣୁ। ଏହାର ପ୍ରତିଷେଧକ ବାହାର କରିବାକୁ ଏବେ ପ୍ରାୟ ସବୁ ଦେଶ ଉଦ୍ୟମରତ। ହେଲେ ଏସବୁ ଭିତରେ ଆମେରିକାରୁ ଆସିଛି ଏକ ଭଲ ଖବର। ଆମେରିକାରେ ମନୁଷ୍ୟ ଶରୀରରେ ପ୍ରୟୋଗ ହେବାକୁ ଥିବା ପ୍ରଥମ କରୋନା ଟିକା ବେଶ୍ ନିରାପଦ ଓ ବିପଦମୁକ୍ତ ଜଣାପଡ଼ିଛି। ଏଥିସହ ଏହା ଶରୀରରେ କରୋନା ଭୂତାଣୁ ବିରୋଧରେ ପର୍ଯ୍ୟାପ୍ତ ରୋଗପ୍ରତିରୋଧ ଶକ୍ତି ବୃଦ୍ଧି କରିବାରେ ସକ୍ଷମ ହୋଇଥିବା ଏହାର ପ୍ରସ୍ତୁତକର୍ତ୍ତା ଅନ୍ତର୍ଜାତୀୟ ଔଷଧ କମ୍ପାନୀ ‘ମଡର୍ଣ୍ଣା’ ପକ୍ଷରୁ କହାଯାଇଛି। ଏହାର ନୈଦାନିକ ପରୀକ୍ଷଣ କ୍ରମେ ଗତ ମାର୍ଚ୍ଚରୁ ଏହାର ଦୁଇଟି ମାତ୍ରା ଗ୍ରହଣ କରିଥିବା ପ୍ରଥମ ୮ ଜଣ ସ୍ବେଚ୍ଛାସେବୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ଏଭଳି ଆଶାନୁରୂପ ଫଳ ମିଳିପାରିଛି ।

Google

ସମ୍ପୃକ୍ତ ସୁସ୍ଥ ସ୍ବେଚ୍ଛାସେବୀଙ୍କ ରକ୍ତରେ ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ(ଆଣ୍ଟିବଡି)କୁ ପରୀକ୍ଷାଗାରରେ ତର୍ଜମା କଲାବେଳେ ତାହା କରୋନା ଭୂତାଣୁ ସାର୍ସ-କୋଭ୍-୨କୁ ବ୍ୟାପିବାରୁ ରୋକିଥିବା ଜଣାପଡ଼ିଛି। ଏହା ଯେକୌଣସି ଟିକାର ପ୍ରମୁଖ ଗୁଣ ହୋଇଥାଏ। ସେହିପରି ଚିକିତ୍ସା ପରେ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ଶରୀରରେ ବିକଶିତ ହୋଇଥିବା ରୋଗ ପ୍ରତିରୋଧକ ସହ ମଧ୍ୟ ଏହି ଟିକା ଦ୍ବାରା ସୃଷ୍ଟ ରୋଗ ପ୍ରତିରୋଧକର ଯଥେଷ୍ଟ ସାମଞ୍ଜସ୍ୟ ରହିଥିବା କୁହାଯାଇଛି। ଏହି ପର୍ଯ୍ୟାୟରେ ଟିକାର ସାମାନ୍ୟ, ମଧ୍ୟମ ଓ ଭୀଷଣ- ଏହିପରି ତିନିଟି ମାତ୍ରାକୁ ପ୍ରୟୋଗ କରାଯାଇଥିଲା। ସାମାନ୍ୟ ଓ ମଧ୍ୟମ ଧରଣ ମାତ୍ରାର ପ୍ରୟୋଗରୁ ଏଭଳି ଫଳାଫଳ ମିଳିଥିବା ସୂଚନା ମିଳିଛି। ଏ ପରୀକ୍ଷଣରେ ସନ୍ତୁଷ୍ଟ ହୋଇ ଆମେରିକାର ଖାଦ୍ୟ ଓ ଭେଷଜ ପ୍ରଶାସନ ଉକ୍ତ ଟିକାର ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ପାଇଁ ମଡର୍ଣ୍ଣାକୁ ଅନୁମତି ଦେଇଥିବା ଜଣାପଡ଼ିଛି।