ଧନ ପଛରେ ପାଗଳ ପରି ଗୋଡାଇବା ଠିକ୍ ନୁହେଁ : ଆଚାର୍ଯ୍ୟ ଚାଣକ୍ୟ

Spread the love

■ ଧନ ପଛରେ ପାଗଳ ପରି ଗୋଡାଇବା ଠିକ୍ ନୁହେଁ । ଯେତିକି ଆବଶ୍ୟକ ସେତିକି ପାଇଁ ଉଦ୍ୟମ କରିବା ଅବଶ୍ୟ ନିହାତି ଆବଶ୍ୟକ । ଏହାର ଅର୍ଥ ନୁହେଁ ଯେ ନିକମା ହୋଇ ବସି ରହିଲେ କୋଉଠୁ କିଏ ଆଣି ସବୁକିଛି ଦେଇଦେବ ।

■ ଧନ ଜଣକ ପାଖରେ ରହିପାରେନା । ଜଣକ ଠାରୁ ଅନ୍ୟ ଜଣକ ପାଖକୁ ଚାଲିଯାଏ । ଧର୍ମ, ଧନ, ଅନ୍ନ, ଜ୍ଞାନ, ଔଷଧ ଏସବୁକୁ ସଦା ଯତ୍ନର ସହିତ ସାଇତି ରଖିବା ଆବଶ୍ୟକ । ଦରକାର ବେଳେ ଏସବୁ କାମରେ ଲାଗେ ।

■ କରଜ କରିବ ନାହିଁ । ପାଖରେ ଧନ ନଥିଲେ କେହି ପଚାରିବେ ନାହିଁ । କାରଣ ଧନହିଁ ସବୁ କିଛିକୁ ବଶୀଭୂତ କରି ରଖିପାରେ । ଧନ ଅର୍ଜ୍ଜନ ଧର୍ମପଥରେ କରିବା ଉଚିତ୍ । ଧନବାନ ସମାଜରେ ସମ୍ମାନ ପାଇଥାଏ । ଜୀବନଟା ଧନୀ ପାଇଁ ଏକ ସୁଖର ନାଟକ, ମୂର୍ଖ ପାଇଁ ଖେଳ, ବିଜ୍ଞ ପାଇଁ ଗୋଟିଏ ସ୍ୱପ୍ନ, ଦରିଦ୍ର ପାଇଁ ଦୁଃଖର ପାହାଡ ।

■ ଅତି ସରଳ, ସାଧାସିଧା ହୋଇ ଚଳିବା କଷ୍ଟକର । ଏମିତି ହେଲେ ସମସ୍ତେ ଦାଉ ସାଧି ପାରନ୍ତି । ସରଳତାର ସୁଯୋଗ ନେଇ ହଇରାଣ କରିପାରନ୍ତି । ଜଙ୍ଗଲକୁ ପଶି ଯେପରି ସମସ୍ତେ ସିଧା ସରଳ ଗଛ କାଟିବାକୁ ଭଲ ପାଆନ୍ତି ମାତ୍ର ମୋଟା, ବଙ୍କା ଗଛ ପାଖକୁ ଯାଆନ୍ତି ନାହିଁ ଠିକ୍ ସେଇପରି ସମାଜରେ ସରଳ ମଣିଷକୁ ସମସ୍ତେ ହଇରାଣ, ହରକତ କରିବାକୁ ଚାହାଁନ୍ତି । ଏଣୁ ଅତ୍ୟନ୍ତ ସରଳ ହେବା ଅପେକ୍ଷା ପରିସ୍ଥିତି ଦେଖି ଯେସାକୁ ତେସା ନୀତି ଅବଲମ୍ବନ କରିବା ଆବଶ୍ୟକ

■ ଯେଉଁଠାରେ ଧନୀ ଲୋକ, ପାଠୀ ସଦ୍ଜନ, ଦୟାଳୁ ରାଜା, ବିଦ୍ୱାନ ମନ୍ତ୍ରୀ, ଉପଯୁକ୍ତ ଚିକିତ୍ସକ, ସହାନୁଭୂତି ସମ୍ପନ୍ନ ବନ୍ଧୁ ନଥାନ୍ତି ସେ ସ୍ଥାନରେ ଦୁଃଖ ମିଳିଥାଏ । ପ୍ରକୃତ ବନ୍ଧୁ ସଂସ୍ପର୍ଶରେ ଜଣେ ସାଧୁ, ସଚ୍ଚଟ, କର୍ମତତ୍ପର ହୋଇପାରେ । ନହେଲେ ସ୍ୱାର୍ଥୀ ବନ୍ଧୁ ଦୁଃଖ ସିନ୍ଧୁରେ ଡୁବାଇ ଦେଇଥାଏ ।