ରକ୍ତରେ ଜୁଡୁବୁଡୁ ସତ୍ତ୍ୱେ ମଧ୍ୟ ଦଳକୁ ଜିତାଇବା ପାଇଁ ପ୍ରାଣପଣେ ଉଦ୍ୟମ : ସେନ୍ ୱାଟସନ

Spread the love

IPL2019 ଶେଷ ମ୍ୟାଚ: ଶେଷରେ ସେନ ୱାଟସନଙ୍କ ଗୋଡ଼ରେ ମାଡ ବାଜିଯାଇଥିଲା । ଏହା ପରେ ମଧ୍ୟ କାହାକୁ ନ କହି ସେ ଖେଳି ଚାଲିଥିଲେ । ୱାଟସନଙ୍କ ଗୋଡ଼ରୁ ରକ୍ତ ବୋହି ଚାଲିଥିଲା ।

ରବିବାର ଦିନ ମୁମ୍ବାଇ ଇଣ୍ଡିଆନ୍ସ ଶେଷ ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗକୁ ଶେଷ ଓଭରରେ ବାଜି ପଲଟେଇ ଏକ ରନରେ ହରେଇଥିଲା । ଆଇପିଏଲ ୨୦୧୯ରେ ଚେନ୍ନାଇକୁ ଚିତ୍ କରି ଚତୁର୍ଥ ଥର ପାଇଁ ଆଇପିଏଲର ୧୨ତମ ସଂସ୍କାରଣର ବହିକୁ ନିଜ ନାମରେ କରେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଏହି ମୁକାବିଲାରେ ମୁମ୍ବାଇ ଦଳ ମ୍ୟାଚ ଜିତିଥିଲା । କିନ୍ତୁ ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ହାରିଥିଲେ ମଧ୍ୟ, କୋଟି କୋଟି କ୍ରିକେଟ ପ୍ରେମୀଙ୍କ ମନ ଜିଣିଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ସେନ୍ ୱାଟସନ୍ । ସୁପର୍ ସଣ୍ଡେର ଫାଇନାଲ ଫାଇଟରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା କୋଟି କୋଟି କ୍ରିକେଟ୍ ପ୍ରେମୀଙ୍କୁ ଭାବ ବିହ୍ୱଳ କରିଦେଇଛି ।

ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିଣି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୨୦ ଓଭରରେ ୧୪୯ ରନ୍ କରିଥିଲେ । ମ୍ୟାଚର ଦ୍ୱିତୀୟ ଇନିଂସରେ ଚେନ୍ନାଇ ସୁପର୍ କିଙ୍ଗ ୧୫୦ ରନର ଟାର୍ଗେଟକୁ ପିଛା କରି ବ୍ୟାଟିଂ ଆରମ୍ଭ କରିଥିଲା । କିନ୍ତୁ ଚେନ୍ନାଇ ସୁପର୍ କିଙ୍ଗ ଦଳ ପକ୍ଷରୁ କେହି ମଧ୍ୟ ଭଲ ବ୍ୟାଟିଙ୍ଗ କରି ପାରିନଥିଲେ । ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଯାଉଥିଲେ । ଆଉ ଅନ୍ୟପଟେ ଦଳର ବିଜୟ ପାଇଁ ଏକାକୀ ସଂଘର୍ଷ କରୁଥାନ୍ତି ସେନ୍ ୱାଟସନ୍ ।

ତେବେ ଖେଳର ମଧ୍ୟ ଭାଗରେ କ୍ୟାମେରାରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ୱାଟସନ୍ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ଆଣ୍ଠୁରୁ ରକ୍ତ ବାହାରୁଥିବାର ଦେଖିବାକୁ ମିଳିଥିଲା । ତେବେ କାହାରିକୁ କିଛି ନ କହି ଚେନ୍ନାଇର ବିଜୟ ପାଇଁ ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ବ୍ୟାଟିଂ ଜାରି ରଖିଥିଲେ ଏହି ପୂର୍ବତନ ଅଷ୍ଟ୍ରେଲୀୟ ତାରକା । ଯେବେ ସେ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ, ତାପରେ ଦଳକୁ ଏହାର ଖବର ମିଳିଲା । ମିଡିଆ ରିପୋର୍ଟ ଆନୁସାରେ ମ୍ୟାଚ ପରେ ୱାଟସନଙ୍କ ଗୋଡ଼ରେ ୬ଟି ସିଲେଇ ପଡିଥିଲା ।

ସେନ ୱାଟସନ ଫାଇନାଲରେ ୮୦ ରନ କରିଲେ କିନ୍ତୁ ଶେଷରେ ନିଜ ଦଳକୁ ଜିତେଇ ପାରିଲେ ନାହିଁ । ଚେନାଇ ସୁପର କିଙ୍ଗ ମଧ୍ୟ ଏହାକୁ ପ୍ରଶଂସା କରି କହିଛି, ୱାଟସନ ଯାହା ବି କରିଛନ୍ତି ଦଳ ପାଇଁ ତାହା ଚିରସ୍ମରିଣୀୟ ହୋଇ ରହିବା । ସେନ ୱାଟସନ ଶେଷ ଓଭରରେ ହିଁ ରନ ଆଉଟ୍ ହୋଇଥିଲେ, ତଥାପି ନିଜ ଦଳକୁ ଜିତାଇବା ପାଇଁ ମାଡ ବାଜିବା ସତ୍ତ୍ୱେ ମଧ୍ୟ ଦୁଇ ରନ୍ ନେବାକୁ ଚେଷ୍ଟା କରିଥିଲେ କିନ୍ତୁ ଶେଷରେ ରନ୍ ଆଉଟ୍ ହୋଇଯାଇଥିଲେ ।