ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିବିଶେଙ୍କ ପରିବାରକୁ ମିଳିବ ପେନସନ…

Spread the love

ରାଜ୍ୟର କରୋନା ସ୍ଥିତି ଉପରେ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯ଼ାଇଛି । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ରାଜ୍ୟର ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବ୍ୟାପିବା ପରିପ୍ରେକ୍ଷୀରେ ଗାଁରେ କରୋନା ସର୍ଭେ ଓ ମୁକାବିଲା ଉପରେ ଗୁରୁତ୍ଵ ଦିଆଯାଇଛି । ଏନେଇ 24 ମଇରୁ ତିନି ମାସ ପର୍ଯ୍ୟନ୍ତ ଘରକୁ ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶା କର୍ମୀମାନେ ।

ଏଥିପାଇଁ ଆଶା କର୍ମୀମାନଙ୍କୁ ୧ ହଜାର ଟଙ୍କା ଲେଖାଏଁ ପ୍ରେତ୍ସାହନରାଶି ମିଳିବ । ସଂଗରୋଧ କେନ୍ଦ୍ର ଦାୟିତ୍ଵରେ ଥିବା ଆଶାକର୍ମୀଙ୍କୁ ସାଇକେଲ, ଛତା, ଟର୍ଚ୍ଚ, ଚପଲ ଆଦି କିଣିବା ପାଇଁ ୧୦ ହଜାର ଟଙ୍କା ମିଳିବ । କୋଭିଡ ନିୟନ୍ତ୍ରଣ କାର୍ୟ଼୍ୟରେ ସାମିଲ ହେବ ଗାଁ କଲ୍ୟାଣ କମିଟି । ଗତ ବର୍ଷ ପରି ଏଥର ମଧ୍ୟ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯ଼ିବ । ପରିସ୍ଥିତିକୁ ଦେଖି ସେମାନେ ଗାଁରେ ଲକଡାଉନ ବା କଣ୍ଟେନମେଣ୍ଟ ଜୋନ ଘୋଷଣା କରିପାରିବେ ।

ସେହିପରି କରୋନାରେ ମୃତ ପରିବାରକୁ ପେନସନ ମିଳିବ । ମା ଓ ବାପାଙ୍କୁ ହରାଇଥିବା ପିଲାମାନଙ୍କୁ ମଧୁବାବୁ ପେନସନ ଯ଼ୋଜନାରେ ସାମିଲ କରାଯ଼ିବା ସହ ମାଗଣା ଶିକ୍ଷା ମିଳିବ । ଅନ୍ୟପକ୍ଷରେ ରାଜ୍ୟରେ ଅକ୍ସିଜେନ ବ୍ୟବହାର ପାଇଁ ସରକାର ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବେ । ରାଜ୍ୟର ଅକ୍ସିଜେନ ଆବଶ୍ୟକତା ଉପରେ ଏକ ଟାକ୍ସଫୋର୍ସ ନଜର ରଖିବ ଓ ଆବଶ୍ୟକ ଯ଼ୋଜନା ପ୍ରସ୍ତୁତ କରିବ ।

ମୁଖ୍ୟମନ୍ତ୍ରୀ କରିଥିବା ଆଉ ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା ଅନୁସାରେ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ୟ଼୍ୟନ୍ତ ଅର୍ଥ କରୋନା ମୁକାବିଲା ପାଇଁ ବ୍ୟୟ କରିହେବ । ଗରିବ ଲୋକଙ୍କୁ ମାସ୍କ ବଣ୍ଟନ ପାଇଁ ମିଶନଶକ୍ତି ଗ୍ରୁପମାନଙ୍କ ଠାରୁ ମାସ୍କ କିଣା ଯିବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାରେ ଲୋକଙ୍କୁ ମାଗଣା ପରୀକ୍ଷା ଓ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଆଉଛି। ଘରୋଇ ଡାକ୍ତରଖାନା ମାନଙ୍କୁ ସାଥିରେ ନେଇ କୋଭିଡ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ଏହାଦ୍ବାରା ରୋଗୀ ଶୀଘ୍ର ଚିକିତ୍ସା ସେବା ପାଉଛନ୍ତି ଓ ସାରା ଦେଶରେ ଓଡିଶାର ମୃତ୍ୟୁ ହାର ସେଥିପାଇଁ କମ୍‌ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।