ଉତ୍ତର ପ୍ରଦେଶ BJP ସାଂସଦ ଜୋତାରେ ପିଟିଲେ ନିଜ ଦଳର ବିଧାୟକକୁ …..

Spread the love

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶ ସନ୍ତକବୀର ନଗରରେ ଜିଲ୍ଲା ଯୋଜନା ବୈଠକରେ ବିଜେପି ସାଂସଦଙ୍କ ବ୍ୟବହାର ଦେଖି ଉପସ୍ଥିତ ସମସ୍ତ ସଦସ୍ୟ ଓ ମିଡ଼ିଆ ବ୍ୟକ୍ତିମାନେ ଆଶ୍ଚଯ୍ୟ ହୋଇଯାଇଥିଲେ । ବୈଠକ ବସିଥିବା ସମୟରେ ବିଜେପି ବିଧାୟକ ଓ ବିଜେପି ସାଂସଦଙ୍କ ମଧ୍ୟରେ ଏକ ପ୍ରକଳ୍ପର ଶିଳାନ୍ୟାସ ନେଇ ଯୁକ୍ତିତର୍କ ହୋଇଥିଲ ଏବଂ ପରେ ଏହି ଯୁକ୍ତିତର୍କ ମାଡ଼ଗୋଳରେ ପରିଣତ ହୋଇଗଲା । ଏବଂ ପରିଶେଷରେ ଭାରତୀୟ ଜନତା ପାର୍ଟିର ସାଂସଦ ଶରଦ ତ୍ରିପାଠୀ ନିଜର ଦଳର ମେହେନ୍ଦଵାଲା ଅଂଚଳର ବିଧାୟକ ରାକେଶ ସିଂଙ୍କୁ ଜୋତାରେ ମାରିଥିଲେ ।

ବିଧାୟକ ରାକେଶ ସିଂ ୧୫ ରୁ ଉର୍ଦ୍ଧ୍ୱ ଜୋତାରେ ମାଡ ଖାଇବା ପରେ ସାଂସଦ ଶରବ ତ୍ରିପାଠୀଙ୍କୁ ଚାପୁଡ଼ା ମାରିଥିଲେ । ସେଠାରେ ଉପସ୍ଥିତ ଥିବା ଜଣେ ପୋଲିସ ଅଧିକାରୀ ଉଭୟଙ୍କୁ ଅଲଗା କରିଥିଲେ । କିନ୍ତୁ ବୈଠକ ବାହାରକୁ ଯିବା ପରେ ପରିସ୍ଥିତି ଶାନ୍ତ ହୋଇଯାଇଥିଲା । ସୂଚନା ଅନୁସାରେ ବିଧାୟକ ଓ ସାଂସଦଙ୍କ ମଧ୍ୟରେ ଏକ ପ୍ରକଳ୍ପର ଶିଳାନ୍ୟାସ ନେଇ ଯୁକ୍ତତର୍କ ହୋଇଥିଲା । ତେବେ ବଚସା ଭିତରେ ଅତର୍କିତ ଭାବେ ବିଜେପି ସାଂସଦ ଶରଦ ତ୍ରିପାଠୀ ନିଜର ଜୋତା ଖୋଲି ବିଧାୟକଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ ।

ଏହି ଘଟଣା ପରେ ବିଜେପି ବିଧାୟକ ରାକେଶ ସିଂହଙ୍କ ସମର୍ଥକମାନେ ବହୁ ସଂଖ୍ୟାରେ ପହଂଚି ଜିଲ୍ଲା ମାଜିଷ୍ଟ୍ରେଟ କାର୍ଯ୍ୟାଳୟ ବାହାରେ ପ୍ରଦର୍ଶନ କରିଥିଲେ ଏବଂ ସାସଂଦ ଶରଦ ତ୍ରିପାଠୀଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ ।

ଏହି ଘଟଣାକୁ ନେଇ ବିଜେପି ବିଧାୟକ କହିଲେ – “ଜିଲ୍ଲା ରାଜ୍ୟର ବିକାଶକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କିଛି ବିକାଶ ଯୋଜନାର ଶୁଭାରମ୍ଭ କରିଥିଲି ମୁଁ । ସେହି ଶୁଭାରମ୍ଭକୁ ନେଇ ତର୍କବିର୍ତ୍ତକ ଆରମ୍ଭ ହୋଇଥିଲା । କିନ୍ତୁ ସାଂସଦ ମହାଶୟ ରାଗି ଯାଇଥିଲେ ଓ ହତାଶ ହୋଇଗଲେ । ତାଙ୍କର କଳା କାରନାମାକୁ ଘୋଡାଇବା ପାଇଁ ସେ ଏହିପରି ଅଭଦ୍ରଙ୍କ ପରି ବ୍ୟବହାର କରିଲେ ।”

ବିଜେପି ବିଧାୟକ ଓ ସାଂସଦଙ୍କ ମଧ୍ୟରେ ଏହିପରି ମାରପିଟ ଘଟଣାକୁ ନେଇ ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ଏମ୍.ଏନ୍.ପାଣ୍ଡୀୟ କହିଲେ, ମୁଁ ଏହି ଘଟଣାକୁ ସମ୍ପର୍କରେ ଅବଗତ ହେଲି ଏବଂ ଏହି ଘଟଣାକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଏହି ଘଟଣାର ଭିଡ଼ିଓ ସୁଟ କରିନେଇଥିଲେ । ସୂଚନା ଅନୁସାରେ ଏହି ଘଟଣା ହେବା ସମୟରେ ସନ୍ତକବୀର ନଗରର ଜିଲ୍ଲାପାଳ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପ୍ରଶାସନିକ ଅଧିକାରୀଙ୍କ ବ୍ୟତୀତ କିଛି ଜନପ୍ରତିନିଧି ମଧ୍ୟ ବୈଠକରେ ସାମଲି ଥିଲେ ।