ବିଶ୍ଵ ପଖାଳ ଦିବସ ! ଆସନ୍ତୁ ଜାଣିବା ପଖାଳର ଔଷଧୀୟ ଗୁଣ ।

Spread the love

ପଖାଳ ଭାତରେ ପାଣି ମିଶାଇ ତିଆରି କରାଯାଉଥିବା ଏକ ଓଡ଼ିଆ ଖାଦ୍ୟ । ଏହା ଜଗନ୍ନାଥ ମନ୍ଦିରରେ ତିଆରି ଛପନ ଭୋଗ ଭିତରୁ ଏକ । ପଖାଳ ଖରା ଦିନରେ ଓଡ଼ିଆ ଘରମାନଙ୍କରେ ଦେହରୁ ତାତି କମାଇବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ଖିଆଯାଇଥାଏ । ଭାତକୁ ପାଣିରେ ପଖାଳି ତିଆରି କରାଯାଉଥିବାରୁ ଏହାକୁ ପଖାଳ କୁହାଯାଏ । ଏହାର ପାଣିକୁ ତୋରାଣି କୁହାଯାଏ । ପଖାଳ ଓଡ଼ିଶା ବ୍ୟତୀତ ଆସାମ, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼, ଆନ୍ଧ୍ରପ୍ରଦେଶରେ ମଧ୍ୟ ପ୍ରଚଳିତ । ଆସାମରେ ଏହାକୁ “ପୋଇତା ଭାତ”, ପଶ୍ଚିମ ବଙ୍ଗରେ “ପନ୍ତ ଭାତ”, ଝାଡ଼ଖଣ୍ଡ ଓ ବିହାରରେ “ମାରା ଭାତ” ଓ ଛତିଶଗଡ଼ରେ ପଖାଳ ବା “ବୋରେ ଭାତ” କହନ୍ତି । ତାମିଲନାଡୁରେ ଏହା ବକାଳ ବାତ ନାମରେ ଜଣାଶୁଣ । ସେଠାରେ ବିବାହ କାର୍ଯ୍ୟ ତଥା ମାଙ୍ଗଳିକ କାର୍ଯ୍ୟରେ ଏବେ ମଧ୍ୟ ପଖାଳ ପରଷା ଯାଏ । ପଖାଳ ସାଧାରଣତଃ ଦିନରେ (ସକାଳେ) ଅଧିକାଂଶ ଲୋକ ଖାଇଥାନ୍ତି । ଖରାଦିନରେ ଖରାବେଳେ, କେହି କେହି ଉପରଓଳି ମଧ୍ୟ ଖାଇଥାଆନ୍ତି ।

ପଖଲର ଔଷଧୀୟ ଗୁଣ :

– ପଖାଳ ପିତ୍ତ ନାଶକ ।

– ଗରମ ପଖାଳ ଖାଇ ତା ତୋରାଣି ମୁନ୍ଦେ ପିଇଦେଲେ କୋଷ୍ଠ କାଠିନ୍ୟ, ଅଗ୍ନୀମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଆଦି ନିବାରିତ ହୋଇଥାଏ ।

– ବାଧିକି ଥିବା ଲୋକର ପଥ୍ୟ ଭାବେ ଏହା ବ୍ୟବହାର କରା ଯାଇଥାଏ ।
– ହାଣ୍ଡି କାଞ୍ଜିଦ୍ୱାରା ପେଟ ଥଣ୍ଡା ରହେ ।

– ପିତ୍ତ ରୋଗ ବିସୂଚିକା, ଅତିସାର (Diarrehoea) ଇତ୍ୟାଦିରେ ପଖାଳ ତୋରାଣି ଅତ୍ୟନ୍ତ ପ୍ରଶମନକାରୀ ଓ ଉପକାରୀ ଅଟେ ।

– ମୂତ୍ରକୃଚ୍ଛ (dysurea)ରେ ପଖାଳ ଉପକାରୀ ଅଟେ । ପିତ୍ତ ଆଉ ବାତ ରୋଗଗୁଡ଼ିକରେ ସ୍ଥାନ ବିଶେଷରେ ପଖାଳ ଦିଆଯାଇ ପାରିବ ।

ବିଶେଷ ଗୁଣ :

ଆସାମ କୃଷି ବିଶ୍ୱବିଦ୍ୟାଳୟର ମଧୁମିତା ବରୁଆ ଓ ଗୁଣଜିତ ଗୋସ୍ୱାମୀଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁସାରେ ୧୦୦ ଗ୍ରାମ ଭାତରେ ମାତ୍ର ୩.୪ ମିଲି ଗ୍ରାମ ଲୌହ ରହିଥାଏ । କିନ୍ତୁ ୧୨ ଘଣ୍ଟା ପଖାଳ ହେଲା ପରେ ଲୌହ ପରିମାଣ ୭୩.୯୧ ମିଲି ଗ୍ରାମକୁ ବଢି ଯାଇଥାଏ । ସେହିପରି ସୋଡ଼ିୟମ ୪୭୫ ମିଲି ଗ୍ରାମରୁ କମି ୩୦୩ ମିଲି ଗ୍ରାମ, ପୋଟାସିୟମ ୮୩୯ ମିଲି ଗ୍ରାମ ଓ କ୍ୟାଲ୍‌ସିଅମ ୨୧ ମିଲି ଗ୍ରାମରୁ ବଢି ୮୫୦ମିଲି ଗ୍ରାମ ହୋଇଯାଇଥାଏ । ସାଧା ଭାତରେ ଥିବା ଫାଇଟିକ ଏସିଡ଼ ଓ ଓଲିଗୋସାକାରାଇଡ଼ସ୍ ଯୋଗୁ ଏହାକୁ ହଜମ କରିବାରେ ଅସୁବିଧା ହୋଇଥାଏ କିନ୍ତୁ ପଖାଳିବା ପରେ ଏ ଅସୁବିଧା ଦୂର ହୋଇ, ହଜମ କ୍ରିୟା ସହଜ ହୋଇଥାଏ ।