ଆସନ୍ତା କଲି ଠାରୁ ମାଟ୍ରିକ ବୋର୍ଡ ପରୀକ୍ଷା

Spread the love

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆସନ୍ତା କାର୍ଲି ଆରମ୍ଭ ହେବ । ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି । କାର୍ଯ୍ୟସୂଚୀ ଅନୁସାରେ ଫେବ୍ରୁଆରୀ ୨୨ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେ​‌ଷ ହେବ । ମୋଟ୍ ୨୮୩୦ ସେଣ୍ଟର୍‌ରେ ୫ ଲକ୍ଷ ୪୫ ହଜାର ୩୬୪ ପରୀକ୍ଷାର୍ଥୀ ଏଥର ପରୀକ୍ଷା ଦେବେ । ଚଳିତ ବର୍ଷ ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ । ପ୍ରତି ଥର ଦୁଇଟି ସିଟିଂ ଲେଖାଏଁ ପରୀକ୍ଷା ହେବ । ଏବର୍ଷ ପରୀକ୍ଷା ଦିନ ସକାଳୁ ହିଁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ । ପୂର୍ବରୁ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ସେଣ୍ଟରକୁ ପ୍ରଶ୍ନ ପତ୍ର ପଠାଯାଉଥିଲା । କିନ୍ତୁ ପ୍ରଶ୍ନପତ୍ର ପ୍ରଘଟ ହେଉଥିବା କାରଣରୁ ଚଳିତ ବର୍ଷ ଏଥିରେ ପରିବର୍ତ୍ତନ ଅଣାଯାଇଛି ।

ଚଳିତବର୍ଷ ପ୍ରଥମ ଥର ପାଇଁ କେ​‌ତେକ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି । ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀମାନେ ସକାଳ ୯ଟାରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ । ସେମାନେ ନିଜ ମୋବାଇଲ ସୁଇଚ ଅଫ୍ କରି ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ହସ୍ତାନ୍ତର କରିବେ । କୌଣସି ସ୍କ୍ୱାଡ୍, ପୁଲିସ କର୍ମଚାରୀ କିମ୍ବା ଅଧିକାରୀ ପରୀକ୍ଷା କେନ୍ଦ୍ରରେ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ । କେବଳ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ନିଜ ଅଫିସ ମଧ୍ୟରେ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ ।

ପରୀକ୍ଷା ଦିନ ସକାଳୁ କେନ୍ଦ୍ରଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚାଯିବ । ସକାଳ ୬ଟାରୁ ସାଢ଼େ ୮ଟା ମଧ୍ୟରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚିବ । ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପହଞ୍ଚାଇବା ଲାଗି ୭୦୧ଟି ଟିମ ଗଠନ ହୋଇଛି । ସୁପରିଣ୍ଟେଣ୍ଡେଣ୍ଟ ପ୍ରଶ୍ନପତ୍ରକୁ ଗ୍ରହଣ କରି ଷ୍ଟ୍ରଙ୍ଗ ରୁମ୍ ରଖିବେ । ସକାଳ ୮.୩୦ରେ ପ୍ରଶ୍ନପତ୍ର ପ୍ୟାକେଟ ପ୍ରଥମ ସ୍ତର ସିଲ୍ ସୁପରିଣ୍ଟେଣ୍ଡେଣ୍ଟ, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଓ ଅବଜରଭରଙ୍କ ଉପସ୍ଥିତିରେ ଖୋଲାଯିବ । ପ୍ରଶ୍ନପତ୍ର ପ୍ୟାକେଟ ଗୁଡିକୁ ହଲ୍ ଦାୟିତ୍ୱରେ ଥିବା ଇନଭିଜିଲେଟରଙ୍କୁ ହସ୍ତାନ୍ତର କରାଯି ବ। ପରୀକ୍ଷା କେନ୍ଦ୍ର ମଧ୍ୟରେ ୨ଜଣ ଇନଭିଜିଲେଟର ଓ ୨ ଜଣ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ କାଗଜ ପ୍ୟାକେଟର ସିଲ ଖୋଲାଯାଇ ପ୍ରଶ୍ନପତ୍ର ବଣ୍ଟାଯିବ । ପ୍ରଶ୍ନପତ୍ର ଗଚ୍ଛିତ ରଖିବା ପାଇଁ ୩୦୪ ଟି ନୋଡାଲ ସେଣ୍ଟର ମଧ୍ୟ ହୋଇଛି । ପ୍ରଶ୍ନପତ୍ରଗୁଡ଼ିକ ପରିବହନ ପାଇଁ ୬୯୩ଟି ଡେସପାଚ୍ ଟିମ୍ ମଧ୍ୟ ଗଠନ ହୋଇଛି । ମାଟ୍ରିକ ପରୀକ୍ଷା ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଏକ ସଙ୍ଗେ ଅନୁଷ୍ଠିତ ହେଉଛି । ପରୀକ୍ଷା ପରିଚାଳନା ପାଇଁ ୫୮ଟି ଫ୍ଲାଇଁ ସ୍କ୍ବାଡ୍‌ , ୪୪ଟି ସ୍ବତନ୍ତ୍ର ସ୍କାଡ ଏବଂ ୬ଟି ଜୋନାଲ ସ୍କ୍ବାଡ ଗଠନ କରାଯାଇଛି। ପ୍ରଶ୍ନପତ୍ର ଭାଇରାଲ ଗୁଜବ ରୋକିବା ଲାଗି ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି। ସେହିପରି ପରୀକ୍ଷା କେନ୍ଦ୍ର ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଛି।