ଆମେରିକା ଦେଲା ପାକିସ୍ତାନକୁ ଆଉ ଏକ ଝଟକା ….

Spread the love

ୱାସିଂଟନ : ଆତଙ୍କବାଦୀଙ୍କୁ ପ୍ରଶୟ ଦେବା ଏବଂ ଜୈଶ-ଏ-ମହମ୍ମଦ ଆତଙ୍କ ସଂଗଠନର ପ୍ରମୁଖ ଦୋଷୀ ମସୁଦକୁ ପ୍ରଶୟ ଦେବା ପାକିସ୍ଥାନକୁ ମାହାଙ୍ଗା ପଡିଲା ।ଆମେରିକା ସରକାର ପାକିସ୍ତାନକୁ ଏକ ବଡ଼ ଝଟକା ଦେଇଛି । ପାକିସ୍ତାନୀ ନାଗରିକଙ୍କୁ ପୂର୍ବର ଭିସାର କାର୍ଯ୍ୟକାଳ ୫ ବର୍ଷ ମିଳୁଥିଲା କିନ୍ତୁ ବର୍ତ୍ତମାନ ଆମେରିକା ସରକାର ଏହି ଭିସାର କାର୍ଯ୍ୟକାଳ ୩ ମାସକୁ ହ୍ରାସ କରିଦେଇଛି । ଆମେରିକୀୟ ଦୂତାବାସରୁ ଜାତୀୟ ଗଣାମଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ପାକିସ୍ତାନୀ ନାଗରିକ ଏଣିକ ୫ ବର୍ଷ ବଦଳରେ ୩ ମାସ ପାଇଁ ଭିସା ଅନୁମତି ପାଇପାରିବେ ।

ସୂଚନାଯୋଗ୍ୟ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନକୁ ବିଶ୍ୱର ଅଧିକାଂଶ ରାଷ୍ଟ୍ର ନିନ୍ଦା କରିଛନ୍ତି । ବିଗତ ୨ ସପ୍ତାହ ମଧ୍ୟରେ ପାକିସ୍ତାନ ସହିତ ଅନେକ ରାଷ୍ଟ୍ର ସଂପର୍କ ଶେଷ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ସିଆରପିଏଫ ବସ ଉପରକୁ ହୋଇଥିବା ଆକ୍ରମଣରେ ୪୪ ଜଣ ଯବାନ ସହିଦ ହେବା ପରେ ବିଦେଶରେ ଭାରତକୁ ସମର୍ଥନ ମିଳିଛି ।

ଏହି ନୂଆ ଭିସା ନୀତି କେବଳ ପାକିସ୍ତାନର ସାଧାରଣଙ୍କ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ପାକିସ୍ତାନୀ ସାମ୍ବାଦିକମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ସମାନ ନିୟମ ଲାଗୁ ହେବ ବୋଲି କୁହାଯାଇଛି । ସେହିପରି ପାକିସ୍ତାନୀ ନାଗରିକଙ୍କ ଭିସା ଆବେଦନ ପାଇଁ ଫି ମଧ୍ୟ ୧୬୦ ଡଲାର୍‌ରୁ ୧୯୨ ଡଲାରକୁ ବୃଦ୍ଧି କରାଯାଇଛି ।

ତେବେ ପାକିସ୍ତାନ ସରକାରୀ ଅଧିକାରୀଙ୍କ କ୍ଷେତ୍ରରେ ସେମାନଙ୍କ ଚାକିରି ଅବଧିକୁ ନଜରରେ ରଖାଯାଇ ଭିସା ଦିଆଯିବ ବୋଲି ମୁଖପାତ୍ର କହିଛନ୍ତି । ଉଲ୍ଲେଖଯୋଗ୍ୟ ଗତ ବର୍ଷ ମେ’ ମାସରେ ମଧ୍ୟ ଆମେରିକା ପାକିସ୍ତାନ ଉପରେ ଭିସା‌ କ୍ଷେତ୍ରରେ କଟକଣା ଲଗାଇଥିଲା ଏବଂ ପାକିସ୍ତାନ ମଧ୍ୟ ସେହି ଅନୁରୂପ ନୀତି ଅବଲମ୍ବନ କରିଥିଲା । ଏବେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ଏଭଳି କଠୋର ପଦକ୍ଷେପ ଗ୍ରହଣ କରିଥିବାରୁ ଏହା ଖୁବ୍‌ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।