ଆଚାର୍ଯ୍ୟ ଚାଣକ୍ୟ କହିଥିବା ବୁଦ୍ଧିମାନ କଥା: ଥରୁଟିଏ ପଢନ୍ତୁ !

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନେକ ନୀତି ଶ୍ଳୋକ ପଢ଼ିଥିବେ ଯାହା ଜୀବନ ସହିତ ସମ୍ବନ୍ଧିତ । ଏହି ନୀତି ଶ୍ଳୋକକୁ ଅନୁସରଣ କରି ମନୁଷ୍ୟ ନିଜକୁ ଉଚିତ ମାର୍ଗରେ ପରିଚାଳିତ କରିବା ସଂଗେ ସଂଗେ ଜୀବନର ମହତ୍ଵକୁ ମଧ୍ୟ ବୁଝି ପାରିଥାଏ । ସମସ୍ତ ମନୁଷ୍ୟର ଇଛା କି ସେ ଜୀବନରେ ସର୍ବଦା ସଫଳତା ପ୍ରାପ୍ତ କରୁ, ଯେଉଁଥିପାଇଁ ସେ ଦିନ ରାତି କଷ୍ଟ କରିଥାଏ କିନ୍ତୁ ଏତେ କଷ୍ଟ କରିବା ପରେ ମଧ୍ୟ ସମସ୍ତଙ୍କୁ ସଫଳତା ବେଳେବେଳେ ମିଳି ନ ଥାଏ । ଆସନ୍ତୁ ଆଜି ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ବୁଦ୍ଧିମାନ କଥା :
◆ ବିଦ୍ବାନ ବ୍ୟକ୍ତିର ନିର୍ଦ୍ଧନତା, ଭିକ୍ଷାବୃତିରେ ଜୀବିକା ନିର୍ବାହ, ବାର୍ଦ୍ଧକ୍ୟରେ ସ୍ତ୍ରୀର ମୃତ୍ୟୁ, ବହୁ କୁଟୁମ୍ବ, କନ୍ୟାଦାୟ, ବଡଲୋକ ସହିତ ଶତ୍ରୁତା, ଜ୍ଞାତି ଠାରୁ ଅପମାନ, ଦାରିଦ୍ର୍ୟ, ନିତ୍ୟଋଣ, ମୂର୍ଖ ସ୍ତ୍ରୀ, ବିଧବା କନ୍ୟା, ଦରିଦ୍ର ଜାମାତା, ଏସବୁ ବିଶେଷ ଭାବରେ ଦୁଃଖଦାୟକ ।
◆ ବିଦ୍ୟାର୍ଥୀ, ରାଜ କର୍ମଚାରୀ, ବହୁଜନ ପୋଷାକ, ଭଣ୍ଡାର ରକ୍ଷକ, ଦ୍ୱାରପାଳ, ଭଣ୍ଡାରୀ, ଭୟକାତର, କ୍ଷୁଧାତୁର, ଆଗନ୍ତୁକ ଶୋଇଥିଲେ ଏମାନଙ୍କୁ ଉଠାଇଦେବ ।
◆ ଉପଦ୍ରବ ପୂର୍ଣ୍ଣ ଦେଶ, ପର ପୁରୁଷଗାମିନୀ ଯୌବନଗର୍ବିଣୀ ନାରୀ, ଶିଥିଳ ଗତି ବିଶିଷ୍ଟ ଘୋଟକ, ପଛଘୁଂଚା ଦେଇ ଯୁଦ୍ଧ ଭୂମିରୁ ଫେରିଥିବା ବୀର, ଶାସ୍ତ୍ର ଜ୍ଞାନ ନଥିବା ସଦ୍ ଜନ, ନିଶାସେବୀ କବିରାଜ, କ୍ରୋଧା ସ୍ତ୍ରୀ, ଆଦରଶୂନ୍ୟ ବନ୍ଧୁ ଏମାନଙ୍କୁ ବୁଦ୍ଧିମାନ ଲୋକ ତ୍ୟାଗ କରିବ ।
◆ ବିଦ୍ୱାନ ବ୍ୟକ୍ତି ଧନହୀନ ହେଲେ ମଧ୍ୟ ତାର ଚିନ୍ତା ନଥାଏ । ଯାହାର ବନ୍ଧୁ ବିଦ୍ୱାନ ତାର ଚିନ୍ତା ନଥାଏ । ଯେଉଁ ନାରୀର ପୁଅ ନାତି ଥାଆନ୍ତି ତାର ମଧ୍ୟ ଚିନ୍ତା ନଥାଏ ।
◆ ବେଶୀ ବୟସ, ବେଶୀ ଧନଶାଳୀ, ପିତୃବ୍ୟସମ୍ବନ୍ଧ ଅଧିକାରୀ ହେଲେ ଯେ ସେ ମହତ ହେବ ଏମିତି ନୁହେଁ, ଯେ ନ୍ୟାୟ ଜ୍ଞାନର ଅଧିକାରୀ ସେ ଅଳ୍ପ ବୟସ, ଦରିଦ୍ର ବା ରକ୍ତ ସମ୍ପର୍କୀୟ ନହେଲେ ମଧ୍ୟ ମହତ ଓ ଗୁରୁସ୍ଥାନୀୟ ।
◆ ବିଦେଶରେ ବିଦ୍ୟା ମିତ୍ର, ଗୃହରେ ସ୍ତ୍ରୀ ମିତ୍ର, ରୋଗ କାଳରେ ଔଷଧ ମିତ୍ର ଏବଂ ସ୍ୱକୃତ ସତ୍ କର୍ମ ହିଁ ମୃତ୍ୟୁ ପରେ ମିତ୍ରର କାର୍ଯ୍ୟ କରିଥାଏ ।
◆ ଗୋଟିଏ ହାତରେ କେବେ ତାଳି ବାଜେନାହିଁ । ଝଗଡା କରିବା ପାଇଁ ଦୁଇ ଜଣଙ୍କର ଆବଶ୍ୟକତା ରହିଛି । ଜଣେ ଯଦି ନୀରବ ରହିଯାଏ ତେବେ ଅନ୍ୟ ଜଣକ ବାଧ୍ୟ ହୋଇ ନୀରବ ହେବ । ଫଳରେ ଝଗଡା ଆପେ ବନ୍ଦ ହୋଇଯିବ । ଏଥିପାଇଁ ଉପଯୁକ୍ତ ମାନସିକତା ଦରକାର । ଦୁଇଜଣଙ୍କର ଜିଦ୍ ବଜାୟ ରଖିଲେ ଝଗଡା ବନ୍ଦ ହୁଏ ନାହିଁ । ଅଧିକ ବଢେ ।
◆ ଦରିଦ୍ର ସବୁଠି ଲଜ୍ଜିତ ହୁଏ । ଫଳରେ ତାର ତେଜ କମିଯାଏ । ସବୁଠି ପରାସ୍ତ ହୁଏ, ବୁଦ୍ଧିହୀନ ହୋଇଯାଏ ତାସହିତ ବୁଦ୍ଧିମାନ ବ୍ୟକ୍ତି ବନ୍ଧୁତା ରଖନ୍ତି ନାହିଁ ।
◆ ନ୍ୟାୟ ଉପାର୍ଜ୍ଜିତ ଧନ ଓ ସଂଚିତ ସମ୍ପଦକୁ ଯତ୍ନ ସହକାରେ ସାଇତି ରଖିବ । ନିଜର ବୟସନୁସାରେ ସ୍ୱାସ୍ଥ୍ୟକୁ ଜଗିବ । ଉପଯୁକ୍ତ ଯତ୍ନ ନେବ, ବନ୍ଧୁର ଉପଯୁକ୍ତ ସତ୍କାର କରିବ ।