ଓଡ଼ିଶାର ତିନିଜଣଙ୍କୁ ପଦ୍ମଶ୍ରୀ ପ୍ରଦାନ କଲେ ରାଷ୍ଟ୍ରପତି…

Spread the love

ନୂଆଦିଲ୍ଲୀ: ଶନିବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ଓଡ଼ିଶାର ୩ ଜଣଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି । ସେମାନେ ହେଲେ କେନ୍ଦୁଝରର ଦୈତାରୀ ନାୟକ, କୋରାପୁଟ ଜିଲାର କମଳା ପୂଜାରୀ ଏବଂ କଟକର ଚା’ ଦୋକାନୀ ଡ. ପ୍ରକାଶ ରାଓ । ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ଆସିଥିଲେ ମଧ୍ୟ ବିରଳ ଧାନ ସଂଗ୍ରହ କରିଥିବା କମଳା ପୂଜାରୀଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ସେହିପରି ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୈତାରୀ ନାୟକ ଏବଂ ଡି.ପ୍ରକାଶ ରାଓ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ଏମାନଙ୍କ ବ୍ୟତୀତ କ୍ରିକେଟର ଗୌତମ ଗମ୍ଭୀର, ପୁଟବଲ ତାରକା ସୁନୀଲ ଛେତ୍ରୀ ଏବଂ ଅନ୍ୟ କେତେଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି ।

କମଳା ପୂଜାରୀ : କୋରାପୁଟର ଆଦିବାସୀ ମହିଳା କମଳା ପୂଜାରୀ । ଜଣେ ଆଦିବାସୀ ଅଶିକ୍ଷିତ ମହିଳା ହୋଇଥିଲେ ହେଁ, ଜୈବିକ ପ୍ରଣାଳୀରେ ଚାଷ କରିବା ସହ ୧୦୦ କିସମର ଧାନକୁ ଏଯାବତ ସଂରକ୍ଷିତ ରଖିଛନ୍ତି । ପାହାଡ଼ କାଟି କ୍ଷେତକୁ ପାଣି ଯୋଗାଇବାରେ ଦୈତାରୀ ସଫଳ ହୋଇଥିଲେ । ଏଥିପାଇଁ ତାଙ୍କୁ ଅନେକ ପ୍ରଶଂସା ମିଳିଥିଲା । ରାସାୟନିକ ସାରରୁ ଦୂରେଇ ରହି ଜୈବିକ ସାର ବିନିଯୋଗ କରିବା ପାଇଁ ଗାଁର ଲୋକମାନଙ୍କୁ ବୁଝାଇଛନ୍ତି । ଯେଉଁଥିପାଇଁ ଦକ୍ଷିଣ ଆଫ୍ରିକାର ‘ଇକ୍ବେଟିଭ୍ ଇନିସିଏଟିଭ୍ ସମ୍ମାନ’ ଅର୍ଜନ କରିଛନ୍ତି ।

ଦୈତାରୀ ନାୟକ : କେନ୍ଦୁଝର ଜିଲ୍ଲା ନିପଟ ମଫସଲ ବା˚ଶପାଳ ବ୍ଲକର ଗୋନାସିକା ପଞ୍ଚାୟତର ତଳ ବୈତରଣୀ ଗାଁର ମାଉଣ୍ଟେନ ମ୍ୟାନ ଭାବେ ପରିଚିତ ଦୈତାରୀ ନାଏକ ।ବୈତରଣୀ ଗାଁର ଚାଷ ଜମିକୁ ବର୍ଷ ତମାମ ଜଳ ନିଅଣ୍ଟ ପଡିଥାଏ। ଫଳରେ ବର୍ଷ ତମାମ ଏଠାକାର ଲୋକେ ଜୀବନ ଜୀବିକା ପାଇଁ ସ˚ଘର୍ଷ କରିଥାନ୍ତି । ତେବେ ତଳବୈତରଣୀ ଗାଁର ଆଦିବାସୀ ସ˚ପ୍ରଦାୟର ଦୈତାରୀ ନାଏକଙ୍କୁ ଏହା ଖୁବ୍ ବାଧିଥିଲା। ଫଳରେ ସେ ଗୋନାସିକା ପାହାଡରେ ବହି ଯାଉଥିବା ବୈତରଣୀର ଶାଖା ନଈ ପଥରକଟା ନାଳକୁ କାଟି ଦୀର୍ଘ ୪ କିଲୋମିଟର ପର୍ଯ୍ୟନ୍ତ ନାଳ ଖୋଳି ନିଜ ଗାଁ ଚାଷ ଜମିକୁ ପାଣି ମଡାଇଥିଲେ ।

ଡି.ପ୍ରକାଶ ରାଓ : ସ୍ୱତନ୍ତ୍ର ଢଙ୍ଗରେ ଚା’ ବିକ୍ରି କରି ଚର୍ଚ୍ଚାରେ ରହିଥିବା କଟକ ସହରର ବିଶିଷ୍ଟ ସମାଜସେବୀ, ୨୧୮ ଥର ରକ୍ତଦାନ କରିଛନ୍ତି ରେକର୍ଡ ଡି. ପ୍ରକାଶ ରାଓ । ବକ୍ସିବଜାର ପେନସନ ଲେନର ଡି. କ୍ରିଷ୍ଣମୂର୍ତ୍ତି ଏବଂ ଡି. ଲକ୍ଷ୍ମୀଙ୍କ ୩ ଜଣ ସନ୍ତାନଙ୍କ ମଧ୍ୟରେ ଡି. ପ୍ରକାଶ ରାଓ ହେଉଛନ୍ତି ବଡ । ବକ୍ସି ବଜାରରେ ଥିବା ତାଙ୍କ ଚା’ ଦୋକାନରେ ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ଏବଂ ଖବର କାଗଜ, ମାଗାଜିନ ପଢିବାର ସୁଯୋଗ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ୧୯ ବର୍ଷ ପୂର୍ବେ ସେ ଆଶା ଓ ଆଶ୍ୱାସନା ନାମରେ ସ୍କୁଲ କରି ବସ୍ତି ପିଲାଙ୍କୁ ମାଗଣା ପଢିବାର ସୁଯୋଗ ଦେଇଥିଲେ। ନିୟମିତ ରକ୍ତଦାନ କରି ଏଯାଏଁ ୨୧୮ ଥର ରକ୍ତଦାନ ଏବଂ ୧୭ ଥର ପ୍ଲେଟଲେଟ୍ସ ଦାନ କରିସାରିଥିବା ଶ୍ରୀ ରାଓ କହିଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮, ମେ’ ୨୬ରେ କଟକ ଆସିଥିବା ସମୟରେ ଶ୍ରୀ ରାଓଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ ଦେଇ ତାଙ୍କ ସହ ଆଲୋଚନା କରିଥିଲେ । ପୂର୍ବରୁ ଶ୍ରୀ ରାଓ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ ଆୱାର୍ଡ, ଆନିବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନ ଭଳି ବହୁ ସମ୍ମାନ ପାଇଛନ୍ତି ।