ବାସ୍ତବ ନା ଲୋକ ଦେଖାଣିଆ: ଆତଙ୍କବାଦୀ ସଂଗଠନର ସମ୍ପତ୍ତି ଫ୍ରିଜ୍ କଲେ ପାକ୍ ସରକାର !

Spread the love

ଲାହୋର,୧୭/୯: ଟେରର ଫଣ୍ଡିଂ ଓ ମନିଲଣ୍ଡରିଂ ମାମଲାରେ ଆତଙ୍କବାଦୀଙ୍କ ଭୂସ୍ଵର୍ଗ ପାଲଟିଥିବା ପାକିସ୍ତାନର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଦେଶରେ ନିଷିଦ୍ଧ ସଂଗଠନ ଜମାତ-ଉଦ୍-ଦୱା ଓ ଜୈସ୍-ଇ-ମହମ୍ମଦ ଆଦି ସଙ୍ଗଠନର ମୋଟ ୯୬୪ଟି ସମ୍ପତ୍ତି ଫ୍ରିଜ୍ କରାଯାଇଛି । ଫାଇନାନ୍‌ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)ର ୨୭ ସୂତ୍ରୀ ଆକ୍ସନ ପ୍ଲାନର ଉଦ୍ଦେଶ୍ୟ ପୂରଣ ଲାଗି ପାକ୍ ସରକାର ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି ।

ପାକ୍ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଅନୁସାରେ, ଫ୍ରିଜ୍ ହୋଇଥିବା ସମ୍ପତ୍ତି ମଧ୍ୟରୁ ଜମାତ୍-ଉଦ୍-ଦୱାର ୯୦୭ଟି ସମ୍ପତ୍ତି ଥିବାବେଳେ ଜୈସ୍-ଇ-ମହମ୍ମଦର ୫୭ଟି ସମ୍ପତ୍ତି ରହିଛି । ସଂସଦୀୟ ବ୍ୟାପାର ରାଜ୍ୟ ମନ୍ତ୍ରୀ ଅଲ୍ଲୀ ମହମ୍ମଦ ଖାନ ଏନେଇ ସୂଚନା ଦେଇଛନ୍ତି । ପ୍ରାଦେଶିକ ଗୃହ ବିଭାଗଗୁଡ଼ିକ ବିଦେଶ ମନ୍ତ୍ରଣାଳୟ ଦ୍ୱାରା ଜାରି ଜାତିସଂଘ ସୁରକ୍ଷା ପରିଷଦର ଫ୍ରିଜିଂ ଓ ଜବତ ଆଦେଶ-୨୦୧୯ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଏହି ବେଆଇନ ସଂଗଠନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଅଲ୍ଲୀ ମହମ୍ମଦ ଖାନ୍‌ ପାକିସ୍ତାନ ଉଚ୍ଚ ସଦନ ସିନେଟ୍‌କୁ ସୂଚନା ପ୍ରଦାନ କରିଛନ୍ତି । ତାଙ୍କ ସୂଚନା ଅନୁସାରେ, ଜମାତ-ଉଦ୍-ଦୱାର କେବଳ ପଞ୍ଜାବରେ ୬୧୧ଟି ସମ୍ପତ୍ତି ଫ୍ରିଜ୍ କରାଯାଇଛି । ଏହା ବ୍ୟତୀତ ଖୈବର ପୁକ୍ତନଖ୍ୱାରେ ୧୦୮, ସିନ୍ଧରେ ୮୦, ପାକ୍ ଅଧିକୃତ କାଶ୍ମୀରରେ ୬୧, ବଲୁଚିସ୍ତାନରେ ୩୦ ଓ ଇସ୍ଲାମାବାଦରେ ୧୭ଟି ସମ୍ପତ୍ତି ଫ୍ରିଜ୍ କରାଯାଇଛି ।

ଜମାତ-ଉଦ୍-ଦୱାର ଫ୍ରିଜ୍ ହୋଇଥିବା ସମ୍ପତ୍ତିରେ ୭୫ଟି ସ୍କୁଲ, ୪ଟି କଲେଜ୍, ୩୩୦ ମସଜିଦ୍ ଓ ମେସିନାରୀ, ୧୮୬ ଔଷଧାଳୟ, ୧୫ ହସ୍ପିଟାଲ, ୬୨ଟି ଆମ୍ବୁଲାନ୍ସ, ଗୋଟିଏ ଅନ୍ତିମ ସଂସ୍କାର ବାହନ, ୩ ବିପର୍ଯ୍ୟୟ ପ୍ରବନ୍ଧନ କାର୍ଯ୍ୟାଳୟ, ୧୦ଟି ନୌକା, ୧୭ଟି ଭବନ, ଏକ ଜମି, କିଛି କୃଷି ଭୂମି ଓ ୨ଟି ବାଇକ୍ ରହିଛି ।

ସେହିପରି ଜୈସ-ଇ-ମହମ୍ମଦର ଜବତ ସମ୍ପତ୍ତି ମଧ୍ୟରେ ୫୩ ମସଜିଦ୍, ୨ଟି ଡିସ୍ପେନସରି ଓ ୨ଟି ଆମ୍ବୁଲାନ୍ସ ରହିଛି । ଏଫଏଟିଏଫ ଗ୍ରେ ଲିଷ୍ଟରୁ ବାହରକୁ ଆସିବା ଲାଗି ପାକିସ୍ତାନ ଏହି ପଦକ୍ଷେପ ନେଇଛି । ଚଳିତବର୍ଷ ଆରମ୍ଭରେ ପାକିସ୍ତାନର ଆଣ୍ଟି ଟେରରିଜିମ୍ କୋର୍ଟ ଜମାତ-ଉଦ୍-ଦୱା ମୁଖିଆ ହାଫିଜ ମହମ୍ମଦ ସଇଦକୁ ୨ଟି ମାମଲାରେ ୫ ବର୍ଷ ୬ ମାସ ଜେଲ ଦାଣ୍ଡାଦେଶ କରିଛନ୍ତି । କୋର୍ଟରେ ଅନ୍ୟ ପ୍ରତିବନ୍ଧିତ ସଂଗଠନ ଓ ଟେରର ଫଣ୍ଡିଂ ଅଭିଯୋଗ ପ୍ରମାଣିତ ହେବାରୁ କୋର୍ଟ ହାଫିଜକୁ ଦୋଷୀ ସାବ୍ୟସ୍ତ କରିଥିଲେ ।