କରୋନାକୁ ପରାସ୍ତ କରିବ ‘ମନୋକ୍ଲୋନାଲ ଆଣ୍ଟିବଡି’ ଟ୍ରିଟମେଣ୍ଟ: ଚଳିତ ସପ୍ତାହରେ ଆରମ୍ଭ ହେବ ମାନବ ପରୀକ୍ଷଣ !

Spread the love

ନୂଆଦିଲ୍ଲୀ,୧୭/୯: କରୋନା ମହାମାରୀକୁ ପରାସ୍ତ କରିବା ପାଇଁ ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ବିଜ୍ଞାନୀ ଲାଗି ପଡ଼ିଛନ୍ତି । କରୋନା ଟିକା ବିକଶିତ କରିବାରେ ଏବଂ ଔଷଧ ପ୍ରସ୍ତୁତି କ୍ଷେତ୍ରରେ ଅକ୍ସଫୋର୍ଡ ୟୁନିଭର୍‌ସିଟି ବେଶ୍‌ ଆଗରେ ରହିଛି । ଏଠାରେ ତିଆରି ହୋଇଥିବା ‘ଡେକ୍ସାମେଥାସୋନ ଷ୍ଟିରଏଡ’ ଅନେକ କରୋନା ରୋଗୀଙ୍କ ଜୀବନ ବଞ୍ଚାଇଛି । ଚିକିତ୍ସା କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼ି ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଆମେରିକାର ବାୟୋଟେକ କମ୍ପାନୀ ‘ରେଗେନେରୋନ’ର ବୈଜ୍ଞାନିକମାନେ ମିଳିତ ଭାବେ କରୋନା ବିରୋଧରେ ‘ମନୋକ୍ଲୋନାଲ ଆଣ୍ଟିବଡି’ ବିକଶିତ କରିଛନ୍ତି । ଏହା କରୋନା ରୋଗୀଙ୍କ ନିମନ୍ତେ ସଞ୍ଜିବନୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଇଛି । ଚଳିତ ସପ୍ତାହରେ ୨୦୦୦ ରୋଗୀଙ୍କ ଉପରେ ଏହାର ପରୀକ୍ଷା ମୂଳକ ପ୍ରୟୋଗ କରାଯିବ ।

ଏହି ଟ୍ରିଟମେଣ୍ଟ ଉପରେ ଗବେଷଣା କରୁଥିବା ବିଶେଷଜ୍ଞଙ୍କ ମତରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହେବା ପରେ ତାଙ୍କ ଶରୀରରେ କରୋନା ବିରୋଧରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ । ଆଣ୍ଟିବଡି ଭାଇରସ୍ ସହ ଲଢ଼ି ଏହାକୁ ନଷ୍ଟ କରି ଦେଇଥାଏ । ଫଳରେ ଜଣେ ରୋଗୀ ସୁସ୍ଥ ହୋଇଯାଏ । କିନ୍ତୁ ଏକ୍ଷେତ୍ରରେ ବୈଜ୍ଞାନିକମାନେ ଲ୍ୟାବ୍‌ରେ ଅନେକଗୁଡିଏ ଆଣ୍ଟିବଡି ପ୍ରସ୍ତୁତକରି ଏହାକୁ କରୋନା ସହ ଲଢ଼ିବାକୁ ଛାଡି ଦେଇଥିଲେ । ଯେଉଁ ୨ଟି ଆଣ୍ଟିବଡି ସର୍ବୋକୃଷ୍ଟ ଫଳାଫଳ ଦେଇଛି ତା’ର ମନୋକ୍ଲୋନ ପ୍ରସ୍ତୁତ କରାଯାଇଛି । ଅର୍ଥାତ୍‌ ସେହିଭଳି ଅନେକଗୁଡିଏ ଆଣ୍ଟିବଡି ପ୍ରସ୍ତୁତ କରାଯାଇଛି । ଉଭୟ ଆଣ୍ଟିବଡିର ସମ୍ମିଶ୍ରଣକୁ ପ୍ରୟୋଗ କରିବା ଦ୍ୱାରା ଏହା କରୋନା ବିରୋଧରେ ଲଢ଼ିବାରେ ସକ୍ଷମ ହେଉଥିବା ଜଣାପଡିଛି ।

ଅପରପକ୍ଷରେ ଅନେକ କ୍ଷେତ୍ରରେ କରୋନା ଶରୀରରେ ଏହାର ରୂପ ବଦଳାଉଥିବା ଦେଖିବାକୁ ମିଳୁଛି । ଏଣୁ ଯଦି ଗୋଟିଏ ଆଣ୍ଟିବଡି ଭାଇରସକୁ ନଷ୍ଟ କରି ନ ପାରେ ତେବେ ଦ୍ୱିତୀୟ ଆଣ୍ଟିବଡି ଏଥିନିମନ୍ତେ ସକ୍ଷମ ହେବ ବୋଲି ବିଚାର କରାଯାଇ ୨ଟି ମନୋକ୍ଲୋନାଲ ଆଣ୍ଟିବଡିକୁ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଇଛି ।

ଆମେରିକାର ବାୟୋଟେକ କମ୍ପାନୀ ‘ରେଗେନେରୋନ’ରେ ଉଭୟ ମନୋକ୍ଲୋନାଲ ଆଣ୍ଟିବଡିକୁ ମିଶ୍ରଣ କରାଯାଇଛି । ରେଗେନେରୋନ କମ୍ପାନୀ ଇବୋଲା ଭାଇରସ୍ ବିରୋଧରେ ମଧ୍ୟ ମନୋକ୍ଲୋନାଲ ଆଣ୍ଟିବଡି ବିକଶିତ କରିଥିଲା । ଏହା ଅନେକ ରୋଗୀଙ୍କ ଜୀବନ ବଞ୍ଚାଇ ପାରିଥିଲା । ଇବୋଲା ଭଳି କରୋନା କ୍ଷେତ୍ରରେ ମଧ୍ୟ ମନୋକ୍ଲୋନାଲ ଚିକିତ୍ସା ପ୍ରଭାବଶାଳୀ ସାବ୍ୟସ୍ତ ହେବ ବୋଲି କମ୍ପାନୀର ମୁଖ୍ୟ ଦାବି କରିଛନ୍ତି ।

ବିଭିନ୍ନ ବୟସର ୨ ହଜାର ଲୋକଙ୍କ ଉପରେ ଏହା ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯିବ । କେଉଁ ବୟସର ଲୋକଙ୍କ ଶରୀରରେ ଏହା କିଭଳି ଭାବେ ପ୍ରତିକ୍ରିୟା ଦେଖାଉଛି, ଏହା ସମୀକ୍ଷା କରାଯିବ। ଗୁରୁତର ରୋଗୀଙ୍କୁ ସୁସ୍ଥ କରିବାରେ ଏହା ସହାୟକ ହେଉଛି କି ନାହିଁ ଏଥିପ୍ରତି ବିଶେଷ ମଧ୍ୟ ଧ୍ୟାନ ଦିଆଯିବ । ଭେଣ୍ଟିଲେଟର ଏବଂ ଅକ୍ସିଜେନ ସପୋର୍ଟରେ ରହିଥିବା ରୋଗୀମାନଙ୍କୁ ମଧ୍ୟ ଏହି ମନୋକ୍ଲୋନାଲ ଆଣ୍ଟିବଡି ଦିଆଯିବ । ଅଦ୍ୟାବଧି ପ୍ଲାଜମା ଥେରାପି, ଆଣ୍ଟିବାୟୋଟିକ ଏବଂ ଷ୍ଟିରଏଡ ଆଦି ଚିକିତ୍ସା ଦ୍ୱାରା ରୋଗୀଙ୍କୁ ସୁସ୍ଥ କରାଯାଇଛି । ଏସବୁ ଚିକିତ୍ସା ସହ ମନୋକ୍ଲୋନାଲ ଚିକିତ୍ସା ପଦ୍ଧତିକୁ ତୁଳନାତ୍ମକ ଭାବେ ସମୀକ୍ଷା କରାଯିବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଲ୍ୟାବ୍‌ ମଧ୍ୟରେ ଏହି ଚିକିତ୍ସା ଅନ୍ୟ ସମସ୍ତ ଚିକିତ୍ସାଠାରୁ ଉନ୍ନତ ଫଳାଫଳ ଦେଇଥିବା ବେଳେ ଏବେ ଏହା ଲ୍ୟାବ୍‌ ବାହାରେ କିଭଳି ପ୍ରଭାବ ଦେଖାଉଛି ତାହା ଦେଖିବା ବାକି ରହିଛି ।

ସୂଚନାଯୋଗ୍ୟ, ମନୋକ୍ଲୋନାଲ ଚିକିତ୍ସା ପଦ୍ଧତି ୧୯୮୦ ମସିହାରେ ଆରମ୍ଭ ହୋଇଥିଲା । ବିଭିନ୍ନ ପ୍ରକାର ସଂକ୍ରମଣଜନିତ ରୋଗ ବ୍ୟତୀତ କ୍ୟାନ୍‌ସର୍‌ ରୋଗୀଙ୍କ ଚିକିତ୍ସାରେ ଏହାର ବହୁଳ ମାତ୍ରାରେ ପ୍ରୟୋଗ କରାଯାଇଥାଏ । ଟିକା ବିକଶିତ ହେବା ପରେ ଏହି ଚିକିତ୍ସାର ଆବଶ୍ୟକ ହେବ କି ନାହିଁ ବୋଲି ପ୍ରଶ୍ନର ଉତ୍ତରରେ କମ୍ପାନୀ ପକ୍ଷରୁ କୁହାଯାଇଛି, ପ୍ରତ୍ୟେକ କ୍ଷେତ୍ରରେ ଟିକା କାର୍ଯ୍ୟକାରୀ ହୋଇନଥାଏ । ସାଧାରଣତଃ ବୟସ୍କମାନେ ଟିକା ଗ୍ରହଣ କରିବା ପରେ ମଧ୍ୟ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇନଥାଏ । ଏଣୁ ଏହି ଚିକିତ୍ସା ଆଗାମୀ ଦିନରେ କରୋନା ରୋଗୀଙ୍କୁ ବେଶ୍‌ ସହାୟକ ହେବ ।