୧୨ ଦଫା ଦାବିରେ ଶ୍ରମିକ ସଂଗଠନର ଆଜିଠୁ ୨ ଦିନି ଭାରତ ବନ୍ଦ ଡାକରା ।

Spread the love

ଭୁବନେଶ୍ବର: ‘ମୋଦୀ ହଟାଅ, ଦେଶ ବଞ୍ଚାଅ’ ! କେନ୍ଦ୍ରସରକାର ଶ୍ରମିକ ମାରଣ ନୀତି ଆପଣାଉଥିବା ଅଭିଯୋଗ କରି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଆଜି ଓ ଆସନ୍ତାକାଲି ବନ୍ଦ ଡାକରା ଦିଆଯାଇଥିବା ବେଳେ ଏଥିରେ ୧୦ଟି ଶ୍ରମିକ ସଂଗଠନର ୨୦ କୋଟି କର୍ମଚାରୀ ସାମିଲ ହୋଇଛନ୍ତି । ବ୍ୟାପୀ ଦୁଇ ଦିନିଆ ଧର୍ମଘଟ ଚାଲିଛି । ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ୍‌, ସ୍ବାଧୀନ ଫେଡେରେସନ୍‌ ଓ ଆସୋସିଏସନ ସମେତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଦ୍ୱାରା ଦିଆଯାଇଥିବା ଏହି ୪୮ ଘଣ୍ଟିଆ ଧର୍ମଘଟ ଡାକରାକୁ ବିେଜପିକୁ ଛାଡି ଅନ୍ୟ ରାଜନୈତିକ ଦଳ ସମର୍ଥନ ଦେଇଛନ୍ତି। ଏପରିକି କଂଗ୍ରେସ ଓ ବିେଜଡି ଶ୍ରମିକ ସାମ୍ମୁଖ୍ୟ ମଧ୍ୟ ଏହି ହରତାଳକୁ ସମର୍ଥନ ଦେବା ନେଇ ପୂର୍ବରୁ ଘୋଷଣା କରିଛି । ଫଳରେ ଆସନ୍ତା ଦୁଇଦିନ ପାଇଁ ରାଜ୍ୟରେ ହରତାଳର ଜବରଦସ୍ତ ପ୍ରଭାବ ପଡିବ ଓ ଜନଜୀବନ ଅସ୍ତବ୍ୟସ୍ତ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । ତେବେ ଏହି ହରତାଳରେ ଭାରତ ମଜଦୁର ସଂଘ ବା ବିଏମ୍‌ଏସ୍‌ ସାମିଲ ହେବନାହିଁ ବୋଲି ସୂଚାଇଛି ।

ଅନ୍ୟପକ୍ଷରେ ଧର୍ମଘଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ତେବେ ୯ ତାରିଖରେ ସ୍କୁଲଗୁଡ଼ିକ ବନ୍ଦ ରହିବ କି ନାହିଁ ସେନେଇ ୮ ତାରିଖରେ ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ କୁମାର ମହାପାତ୍ର କହିଛନ୍ତି । ସେହିପରି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ୮ ତାରିଖ ପାଇଁ ବନ୍ଦ ରହିବ । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ଦୁଇ ଦିନ ପାଇଁ ବନ୍ଦ ରହିବ ।

ସେଣ୍ଟ୍ରାଲ ବୋର୍ଡ ଅଫ୍‌ ‌ସେକେଣ୍ଡାରି ଏଜୁକେସନ (ସିବିଏସ୍‌ଇ) ଅଧୀନ ବିଦ୍ୟାଳୟଗୁଡ଼ିକୁ ନେଇ ଗଠିତ ସହୋଦୟ ମଣ୍ଡଳ ଭୁବନେଶ୍ବର, ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରିବୋର୍ଡ ପରୀକ୍ଷାକୁ ମଧ୍ୟ ବାତିଲ୍‌ କରାଯାଇଛି । ୮ ତାରିଖରେ ହେବାକୁ ଥିବା ଉକ୍ତ ଦୁଇ ଶ୍ରେଣୀର ପରୀକ୍ଷାକୁ ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏ ନେଇ ସମସ୍ତ ବିଦ୍ୟାଳୟକୁ ଅବଗତ କରାଯାଇଥିବା ଜଣାପଡ଼ିଛି । ଭୁବନେଶ୍ବରରେ ଥିବା ଡିଏଭି ସ୍କୁଲ୍‌ଗୁଡ଼ିକର କ୍ଲାସ ପରୀକ୍ଷା ଆସନ୍ତା ଦୁଇ ଦିନ ପାଇଁ ବାତିଲ୍‌ ହୋଇଛି । ୩ୟ ରୁ ୮ମ ଶ୍ରେଣୀ, ନବମ ଓ ଏକାଦଶ ଶ୍ରେଣୀ ପରୀକ୍ଷା ବାତିଲ୍‌ କରାଯାଇଛି ।

ଏହି ବନ୍ଦ ଡାକରାକୁ ଦେଶର ଟେଲିକମ୍, ସ୍ୱାସ୍ଥ୍ୟ, ଶିକ୍ଷା, କୋଇଲା, ଷ୍ଟିଲ୍‌, ବିଦ୍ୟୁତ୍‌, ବ୍ୟାଙ୍କ, ବୀମା ଓ ପରିବହନ ସେକ୍ଟରର କର୍ମଚାରୀମାନେ ସମର୍ଥନ କରୁଥିବା ଟ୍ରେଡ୍ ୟୁନିୟନ୍ ପକ୍ଷରୁ କୁହାଯାଇଛି । ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖାଦେଇଛି । ବାଲେଶ୍ୱର ଷ୍ଟେସନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ରେଳରୋକ କରାଯାଇଛି । ଫଳରେ ଗୁଆହାଟୀ-ଥିରୁଅନନ୍ତପୁରମ ଏକ୍ସପ୍ରେସ୍ ବାଲେଶ୍ୱର ଷ୍ଟେସନରେ ଅଟକି ରହିଛି । ସହରରେ ବସ୍ ଚଳାଚଳ ମଧ୍ୟ ବାଧା ପାଇଛି ।

ସେହିପରି ରାୟଗଡ଼ା ଜିଲ୍ଲାର ଗୁଣପୁରରେ ଦୋକାନ, ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିଛି । କୋରାପୁଟ ଜିଲ୍ଲାର ଲମତାପୁଟରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସହରରୁ ବିଭିନ୍ନ ସ୍ଥାନକୁ ବସ୍‌ ଚଳାଚଳ ବନ୍ଦ କରିଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ୬ଟି ରେଲୱେ ସାଇଡିଂ ବନ୍ଦ ରହିଛି । ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଷ୍ଟେସନରେ ଖଡ଼ଗପୁର-ଖୋର୍ଦ୍ଧା ପାସେଞ୍ଜରକୁ ଆନ୍ଦୋଳକାରୀ ଅଟକାଇଛନ୍ତି ।

ଆପଣାଙ୍କୁ ଜଣାଈରଖୁଛୁ ଯେ, ଧର୍ମଘଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି ।ତେବେ ୯ ତାରିଖରେ ସ୍କୁଲଗୁଡ଼ିକ ବନ୍ଦ ରହିବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ କୁମାର ମହାପାତ୍ର କହିଛନ୍ତି ।