ବିଚିତ୍ର ଦୁନିଆରେ ଦୁର୍ଲଭ ମହିଳା : ବିନା ବିଜୁଳିରେ ଜୀବନ ଅତିବାହିତ କରୁଛନ୍ତି ୭୯ ବର୍ଷୀୟ ଅବସରପ୍ରାପ୍ତ ମହିଳା ଅଧ୍ୟାପିକା

ବିଦ୍ୟୁତ୍ ବିନା ଚଳିବା ଯେ କେତେ କଷ୍ଟକର ତାହା ବର୍ତ୍ତମାନ ପରିସ୍ଥିତିରେ ଭୁବନେଶ୍ୱର, କଟକ ଓ ପୁରୀବାସୀଙ୍କଠାରୁ କିଏ ବେଶି ଜାଣେ ? ବାତ୍ୟା ‘ଫନି’ ପରଠାରୁ ଓଡ଼ିଶାର ଅନେକ ଅଞ୍ଚଳରେ ବିଦ୍ୟୁତ୍ କାଟ ହେବା ପରେ ଲୋକ ଯେ କିପରି ପାଗଳ ପ୍ରାୟ ହେଉଛନ୍ତି ତାହା କହିବା ଜରୁରୀ ନୁହେଁ । ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏମିତି ବି ଜଣେ ଲୋକ ଅଛନ୍ତି ଯିଏକି ଜାଣି ଜାଣି ନିଜ ଘରକୁ ବିଦ୍ୟୁତ୍ ନେଇ ନାହାନ୍ତି । ସେ ପୁଣି କୌଣସି ତଳ ଅଞ୍ଚଳ କିମ୍ବା ଗରିବ ଶ୍ରେଣୀର ନୁହଁନ୍ତି । ଆଜି ଆମେ ଯାହାଙ୍କ ବିଷୟରେ କଥା ହେଉଛେ ସେ ଜଣେ ଉଚ୍ଚ ଶିକ୍ଷିତା ଭଦ୍ର ମହିଳା । ତାଙ୍କର ପ୍ରକୃତି ପ୍ରତି ଥିବା ଅହେତକୁ ପ୍ରେମ ହେତୁ ସେ ନିଜକୁ ଜାଣି ଜାଣି ପ୍ରାଚୁର୍ଯ୍ୟ ଠାରୁ ଦୂରେଇ ରଖିଛନ୍ତି ।
ଏହି ୭୯ ବର୍ଷୀୟା ଅବସରପ୍ରାପ୍ତ ପ୍ରଫେସର୍ଙ୍କ ଘର ପୁଣେଠାରେ । ତାଙ୍କ ନାମ ଡକ୍ଟର ହେମା ସନେ । ସେ ଉଦ୍ଭିଦ ବିଜ୍ଞାନରେ ଡକ୍ଟରେଟ୍ କରିଛନ୍ତି । ସେ ପୁଣେର ଗରଓ୍ଵାରେ କଲେଜରେ ପ୍ରଫେସର୍ ଥିଲେ । ସେ ପରିବେଶ ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ ଉପରେ ଅନେକ ପୁସ୍ତକ ରଚନା କରିଛନ୍ତି । ଏବେ ବି ସେ ନିଜକୁ ଲେଖାଲେଖିରେ ବ୍ୟସ୍ତ ରଖନ୍ତି ।
ସେ ଏକ ନିରୋଳା ସ୍ଥାନରେ ବାଉଁଶ ଓ କାଠରେ ଘର କରିଛନ୍ତି । ତାଙ୍କ ଘର ଚାରି ପଟେ ଲଗାଇଛନ୍ତି ଭଳିକି ଭଳି ଗଛ ସବୁ । ତାଙ୍କ ଘରେ ସେ ଗୋଟିଏ କୁକୁର, ୨ଟି ବିଲେଇ, ଗୁଣ୍ଡୁଚିମୂଷା ଓ ବହୁତ ସାରା ଚଢ଼େଇ ରଖିଛନ୍ତି । ଛଢ଼େଇମାନଙ୍କୁ ଚେଁ ଚେଁ ଶବ୍ଦରେ ଡକ୍ଟର ସନେଙ୍କ ନିଦ ଭାଙ୍ଗେ । ରାତିରେ ମିଞ୍ଜି ମିଞ୍ଜି ଲ୍ୟାମ୍ପ ଆଲେକକୁ ଲିଭାଇ ଦେଇ ଶାନ୍ତିରେ ଶୋଇ ଯାଆନ୍ତି ସେ ।
ତାଙ୍କୁ ଯଦି କେହି ପଚାରନ୍ତି ଆପଣ ବିନା ବିଜୁଳିରେ କିପରି ରହୁଛନ୍ତି, ସେ ଉତ୍ତର ଦିଅନ୍ତି ଆପଣ ବିଜୁଳି ସହ କିପରି ରହି ପାରୁଛନ୍ତି ? ତାଙ୍କ ଘରକୁ ବିକ୍ରି କରି ଦେବାକୁ ବି ଅନେକ ପରାମର୍ଶ ଦେଇଛନ୍ତି । ମାତ୍ର ସେ ମନ ଦେଇ ନାହାନ୍ତି । ସେ ଯଦି ଘର ଛାଡ଼ି ଦିଅନ୍ତି ତେବେ ତାଙ୍କ ପୋଷା ଜୀବମାନଙ୍କର କିଏ ଦେଖାଶୁଣା କରିବ ବୋଲି ସେ ପ୍ରଶ୍ନ କରନ୍ତି । ସେ କୁହନ୍ତି କି ଏ ଘର ସେମାନଙ୍କର । ମୁଁ ସେମାନଙ୍କ ଦେଖାଶୁଣା କରିବାକୁ ଏଠାରେ ରହିଛି । ଆଜିର ପ୍ରାଚୁର୍ଯ୍ୟଭରା ଦୁନିଆରେ ଡକ୍ଟର ସନେ ପ୍ରକୃତି ପ୍ରେମୀର ଜଣେ ଜୀବନ୍ତ ଉଦାହରଣ !